ପାଣି ଅଟକାଇବା ପରେ ଓଲଟା ଓଡିଶା ଉପରେ ଦୋଷ ଲଦିଲେ ଛତିଶଗଡ ମନ୍ତ୍ରୀ : କହିଲେ, ଟ୍ରିବ୍ୟୁନାଲ ନହେବା ପାଇଁ ଦାୟୀ ଓଡିଶା ସରକାର

63

କନକ ବ୍ୟୁରୋ : ମହାନଦୀରେ କାହିଁକି ଟ୍ରିବ୍ୟୁନାଲ ଗଠନ କରୁନାହଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରୁଥିବା ବେଳେ ଏପଟେ ଓଲଟା ଓଡିଶା ସରକାରଙ୍କୁ ଦାୟୀ କରୁଛନ୍ତି ଛତିଶଗଡୀ ମନ୍ତ୍ରୀ । ରମଣ ସିଂ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ କହିଛନ୍ତି, ଟ୍ରିବ୍ୟୁନାଲ ଗଠନ ନହେବା ପାଇଁ କେବଳ ଓଡିଶା ସରକାର ଦାୟୀ । ମହାନଦୀ ବିବାଦର ସମାଧାନ କରିବାକୁ ଛତିଶଗଡ ରାଜି, ହେଲେ ସହଯୋଗ କରୁନି ଓଡିଶା ।

ମହାନଦୀ ଉପରେ ପ୍ରାୟ ୩୭ଟି ଛୋଟ, ବଡ ପ୍ରକଳ୍ପ ନିର୍ମାଣ କରୁଛନ୍ତି ଛତିଶଗଡ ସରକାର । ଯାହା ଫଳରେ ଓଡିଶାକୁ ଜଳ ପ୍ରବାହ କମିଛି । ମୌସୁମୀ ଋତୁରେ ବି ଶୁଖିଲା ପଡିଛି ମହାନଦୀ । ହେଲେ ଛତିଶଗଡ ମନ୍ତ୍ରୀଙ୍କ କହିବା କଥା ହେଉଛି, ସମସ୍ୟା କିଛି ନାହିଁ, କେବଳ ରାଜନୀତି କରାଯାଉଛି ।

ଛତିଶଗଡରେ ଶୁଖିଲା ପଡିଥିବା ତନ୍ଦୁଲା ସହ ମହାନଦୀକୁ ଯୋଡିବାକୁ ରମଣ ସିଂ ସରକାର ତନ୍ଦୁଲା ରିଭର ଲିଙ୍କ ପ୍ରୋଜେକ୍ଟ କରୁଛନ୍ତି । ଯାହା ଫଳରେ ମହାନଦୀରେ ଜଳ ପ୍ରବାହ ଆହୁରି କମିବାର ଆଶଙ୍କା ଦେଖାଦେଇଛି । ତେବେ ବ୍ରିଜମୋହନ କହିଛନ୍ତି, ଏହାଦ୍ୱାରା ଓଡିଶା ଉପରେ କିଛି ପ୍ରଭାବ ପଡିବନାହିଁ ଏବଂ ଯଦି ଓଡିଶା ଚାହେଁ ତେବେ ତାଙ୍କ ସରକାର ସହ ଆଲୋଚନା କରିପାରିବେ ।

ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ମହା ବିବାଦ । ଏଭଳି ସ୍ଥିତିରେ ଓଡିଶା ଉପରେ ସବୁ ଦୋଷ ଲଦିଦେଉଛନ୍ତି ଛତିଶଗଡ ମନ୍ତ୍ରୀ ।