ଗାଁକୁ ରାସ୍ତା ନାହିଁ କିନ୍ତୁ, ତିଆରି ହୋଇଛି ପୋଲ । କାହିଁକି ନିର୍ମାଣ ହୋଇଛି କାରଣ ଖୋଜୁଛନ୍ତି ଗ୍ରାମବାସୀ

30

କନକ ବ୍ୟୁରୋ: ଗାଁକୁ ଯିବାକୁ ରାସ୍ତାଟିଏ ନାହିଁ ହେଲେ ତିଆରି ହୋଇଛି ଗୋଟିଏ ଛୋଟିଆ ପୋଲ । ଗୋଟିଏ ପଟେ ରହିଛି ଜଙ୍ଗଲ ତ ଅନ୍ୟପଟେ ରହିଛି ଟାଙ୍ଗରା ଭୂଇଁ । ଆଉ ମଝିରେ ରହିଛି ଏକ ଛୋଟିଆ ପୋଲ । ଦେଖିଲେ ଆପଣଙ୍କୁ ଲାଗିବ ଯେ, ଏହିଠାରୁ ରାସ୍ତା ଆରମ୍ଭ ହୋଇଛି । କିନ୍ତୁ ରାସ୍ତା ତ ଦୁରର କଥା ଯେମିତି ଲାଗୁଛି ରାସ୍ତରା ଚୋରି ହୋଇଯାଇଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଝରିଗାଁ ବ୍ଲକର ମଇନାଦପଦ ଅଞ୍ଚଳରେ । କାରଣ ଯେଉଁଠି ପୋଲର ଆବଶ୍ୟକତା ଅଛି ସେଠି ଆଣଣ୍ଠୁଏ ପାଣି ଜମିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଅସରାଏ ବର୍ଷା ହେଲେ ପ୍ରାୟ ୧୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ ହୋଇଯାଏ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ଦୀର୍ଘ ୫ ବର୍ଷ ହେବ ଏହି ପୋଲିଟି ନିର୍ମାଣ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହାର ବ୍ୟବହାର ଲୋକେ କରି ପାରୁ ନାହାନ୍ତି । କାହିଁକି ଏବଂ କାହା ସ୍ୱାର୍ଥରେ ଏହାର ନିର୍ମାଣ କରାଯାଇଛି ତାହା ଜଣାପଡୁନାହିଁ । ନଦୀ ଡେଇଁ ଆରପଟକୁ ଯାଇ ଯାଆ ଆସ କରୁଛନ୍ତି ଗ୍ରାମବାସୀ । ଯାହାଦ୍ୱାରା ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଦୈନନ୍ଦିନରେ ଯାତାୟତରେ ବାଧା ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେପଟେ ଖାଲି ଜାଗା ଓ ଜଙ୍ଗଲ ମଧ୍ୟରେ କାହିଁକି ପୋଲ ତିଆରି କରାଯାଇଛି ବୋଲି ସ୍ଥାନୀୟ ବିଡିଓ କହିଛନ୍ତି ଯେ, ପୋଲ କେମିତି ହେଲା ଏବଂ କାହିଁକି ହେଲା ତାହା ପ୍ରଶାସନ ପାଖରେ ଖବର ହିଁ ନାହିଁ । ତେବେ ଏହି ପୋଲ କେଉଁ ପରିସ୍ଥିତିରେ ନିର୍ମାଣ ହେଲା ତାହାକୁ ନେଇ ତଦନ୍ତ କରାଯିବ ବୋଲି ବଡିଓ କହିଛନ୍ତି ।