ବିପସଙ୍କୁଳ ଅବସ୍ଥାରେ ହାଟଡିହି ବ୍ଲକ ଜମ୍ଭରା-ମଥୁରାପୁର ବୈତରଣୀ ନଦୀପୋଲ : ବେଆଇନ୍ ଭାବେ ବାଲି ଉଠାଣ ପରେ ଦବିଯାଇଛି ପୋଲ, ସମସ୍ୟା ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଗ୍ରାମବାସୀ

124

କନକ ବ୍ୟୁରୋ : ବିପଦସଙ୍କୁଳ ହୋଇ ପଡିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଜମ୍ଭରା-ମଥୁରାପୁର ବୈତରଣୀ ନଦୀପୋଲ । ଏହି ପୋଲର ଦୁଇଟି ପିଲାର ଦବିଯିବା ଯୋଗୁଁ ପୋଲଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡିଛି । ପୋଲର ଅତି ନିକଟରୁ ଦୀର୍ଘ ଦିନ ଧରି ବେଆଇନ ବାଲି ଉଠାଣ ଯୋଗୁଁ ଏପରି ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ନହେଲେ, ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଧୀରେ ଧୀରେ ଦବୁଛି ପୋଲ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜମ୍ଭରା-ମଥୁରାପୁର ବୈତରଣୀ ପୋଲର ୩ ନମ୍ବର ଓ ୧୦ ନମ୍ବର ପିଲାର ଅସମ୍ଭବ ଭାବେ ଦବି ଦବି ଯାଉଛି । ପୋଲ ଉପରେ ଫାଟ ସୃଷ୍ଟି ହୋଇଛି । ଫଳରେ ପୋଲ ଉପରେ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ପୋଲ ଅତି ନିକଟରୁ ବେଆଇନ୍ ବାଲି ଉଠାଣ ସାଙ୍ଗକୁ ପୋଲ ଉପରେ ଶହଶହ ଭାରି ଯାନ ଯାତାୟତ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

୨୦୧୩ ମସିହାରେ ବୈତରଣୀ ପୋଲକୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାର ସଂଯୋଗର ସେତୁ ବୋଲି କୁହାଯାଉଥିଲା । ଏହି ପୋଲ ଦେଇ ସହଜରେ ଏବଂ କମ ଖର୍ଚରେ କଟକ, ଭୁବନେଶ୍ୱର ଯା’ଆସ କରିଥାନ୍ତି ହାଟଡିହି ବ୍ଲକର ଲୋକେ । ହେଲେ ଦୀର୍ଘ ୫ ବର୍ଷ ହେବ ପୋଲ ନିକଟରୁ ବେଆଇନ୍ ବାଲି ଉଠାଣ ହେଉଛି । ଏନେଇ ଅଭିଯୋଗ କଲେ ବି ପ୍ରଶାସନିକ ଅଧିକାରୀ କିଛି ଶୁଣୁନଥିବାରୁ ସ୍ଥାନୀୟ ଲୋକେ ଆନ୍ଦାଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଇଛନ୍ତି ।

ପୋଲ ଦବିବା ପ୍ରସ୍ତଙ୍ଗରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଆମ ପ୍ରତିନିଧି ଚେଷ୍ଟା କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।