ଶୁଭ ଦେଇଥିଲେ ବିଜୁ ବାବୁ, ଉଦଘାଟନ୍ କଲେ ନବୀନ ! ଶିଳାନ୍ୟାସର ୨୬ ବର୍ଷ ପରେ ଲୋକାର୍ପିତ ହେଲା ଗେଙ୍ଗୁଟି ନଦୀ ଉପରେ ବାଇଶିମୌଜା ସେତୁ ।

337

କନକ ବ୍ୟୁରୋ : ଶୁଭ ଦେଇଥିଲେ ପ୍ରବାଦ ପୁରୁଷ ବିଜୁ ବାବୁ, ଶେଷ କଲେ ନବୀନ ପଟ୍ଟନାୟକ । ବଡଚଣା ଗେଙ୍ଗୁଟି ନଦୀ ଉପରେ ସେତୁ ସମ୍ପୂର୍ଣ୍ଣ ହେବା ପରେ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଜମି ଅଧିଗ୍ରହଣରେ ବିଳମ୍ବ, ଠିକା ସଂସ୍ଥାମାନଙ୍କର ଅପାରଗତା ଯୋଗୁଁ ପୋଲ ନିର୍ମାଣରେ ବିଳମ୍ବ ହୋଇଥିଲା  । ତେବେ ପୋଲ ନିର୍ମାଣ ପାଇଁ ବିଧାୟକଙ୍କ ସମେତ ସ୍ଥାନୀୟ ଲୋକେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶୁଭ ଦେଇଥିଲେ ବାପା । ଲୋକାର୍ପଣ କଲେ ପୁଅ । ଆମେ କହୁଛୁ ଯାଜପୁର ବଡଚଣା ବ୍ଲକ ରାଧାଦେଇପୁର ଗେଙ୍ଗୁଟି ନଦୀ ଉପରେ ଠିଆ ହୋଇଥିବା ବାଇଶିମୌଜା ସେତୁର କଥା । ୧୯୯୩ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେତୁର ଶୁଭ ଦେଇଥିଲେ । ଆଉ ଦୀର୍ଘ ୨୬ ବର୍ଷ ପରେ ତାଙ୍କ ସୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଅମଳରେ ପୋଲ ନିର୍ମାଣ ଶେଷ ହେବା ସହ ଲୋକାର୍ପିତ ହୋଇଛି । ଫଳରେ ଯାଜପୁର ଜିଲ୍ଳା ବଡଚଣା ବ୍ଲକର ରାଧାଦେଇପୁର ଓ ବାଇଶିମୌଜା ଅଂଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନ ହୋଇଛି ।

୧୯୯୩ରେ ହୋଇଥିଲା ଶିଳାନ୍ୟାସ । ୨୦୧୯ରେ ହେଲା ଶୁଭ ଉଦଘାଟନ୍ । ଜମି ଅଧିଗ୍ରହଣ ସମସ୍ୟା ଓ ଠିକାଦାରଙ୍କ ଅପାରଗତା ଯୋଗୁଁ ବାଇଶିମୌଜା ସେତୁ ନିର୍ମାଣ ପାଇଁ ୨୬ ବର୍ଷ ସମୟ ଲାଗିଲା । ପୋଲଟିଏ ନଥିବାରୁ ନଦୀର ଆରପଟେ ରହୁଥିବା ଅରଖପୁର, ସାଇଁତିପୁର, କୁନ୍ଦଳ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅନେକ ପଂଚାୟତବାସୀ ବହୁ ଅସୁବିଧା ଭୋଗୁଥିଲେ । ସ୍ଥାନୀୟ ବିଧାୟକ ଅମର ଶତପଥିଙ୍କ ପ୍ରଚେଷ୍ଟା ଓ ରାଜ୍ୟ ସରକାରଙ୍କ ୨୦ କୋଟି ଟଙ୍କାର ଅନୁଦାନରେ ସେତୁଟି ତିଆରି ହେବା ପରେ ଲୋକଙ୍କ ଗମନାଗମନ ସହଜ ହୋଇଛି । ଆଉ କଟକ ଓ ଯାଜପୁର ଜିଲ୍ଳା ମଧ୍ୟରେ ଦୂରତା କମିବା ସହ ସମ୍ପର୍କ ବଢିଛି ।