ସୁନ୍ଦରଗଡରେ ନିର୍ମାଣଧୀନ କାମ ଚାଲିଥିବା ବେଳେ ଅଘଟଣ ! ପୋଲ ଭୁଶୁଡିବାରୁ ୩୦ରୁ ଅଧିକ ଶ୍ରମିକ ଆହତ, ୧୧ ଗୁରୁତର ।

43

କନକ ବ୍ୟୁରୋ : ସୁନ୍ଦରଗଡରେ ଭୁଶୁଡିଲା ନିର୍ମାଣଧିନ ବ୍ରିଜ୍ । ଏଥିରେ ୩୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇ ରହିଥିବା ସୂଚନା ମିଳିଛି । ଆହତଙ୍କୁ କେ.ବଲାଙ୍ଗ, ଲହୁଣିପଡା ଓ ବଣାଇ ମେଡିକାଲରେ ଭର୍ତି କରାଯାଇଛି । ସୁନ୍ଦରଗଡ ଜିଲ୍ଳା କେବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଡିହିରେ ଘଟିଛି ଏହି ଦୁର୍ଘଟଣା । ଏକ ନିର୍ମାଣାଧୀନ ପୋଲ କାର୍ଯ୍ୟ ଚାଲିଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ବ୍ରିଜର ନିର୍ମାଣକାମ ଚାଲିଥିବା ବେଳେ ହଠାତ ବ୍ରିଜର ଏକ ସ୍ପାନ୍ ଖସିପଡିଥିଲା ।

ଏପରି ଏକ ଅଘଟଣ ଆଜି ଅପରାହ୍ନ ୧.୩୦ ରୁ ୨ଟା ସମୟ ମଧ୍ୟରେ ଘଟଥିବା ଜଣାପଡିଛି । ଘଟଣା ସମୟରେ ବ୍ରିଜରେ ପାଖାପାଖି ୩୫ ଜଣ ଶ୍ରମିକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୧୧ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏବଂ ଏହି ଶ୍ରମିକ ମାନଙ୍କ ମଧ୍ୟରୁ ଅତ୍ୟନ୍ତ ଗୁରୁତର ଆହତ ହୋଇଥିବା ୬ଜଣ ଶ୍ରମିକଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଏହି ବ୍ରିଜଟି ବଣେଇ ଉପକଣ୍ଠର ଜାମଡିହିରୁ କୁଞ୍ଚପାଣି ସଂଯୋଗ କରୁଥିଲା । ତେବେ ଏହି ବ୍ରିଜର କିଏ ଠିକା ସଂସ୍ଥା ନେଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ବର୍ତ୍ତମାନ ସମୟରେ ପୋଲ ତଳେ କେହି ଚାପି ହୋଇ ରହିନଥିବା ସୂଚନା ମିଳିଛି ।