ଆହତଙ୍କୁ ଅବହେଳା ଅଭିଯୋଗ ! କ୍ୟାପିଟାଲ ହସ୍ପିଟାଲରେ ଦିଆଯାଉ ନି ସଠିକ ଚିକିତ୍ସା

27

କନକ ବ୍ୟୁରୋ : ଗତକାଲି ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପୁରୀ-କଟକ ରୋଡରେ ସହିଦନଗର-ପଳାଶୁଣି ଓଭରବ୍ରିଜ ଭୁଷୁଡିବା ଫଳରେ ଜଣକର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ । ଦୁର୍ଘଟଣା ଆହତ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏପରିକି ମୁଖ୍ୟମନ୍ତ୍ରୀ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସରକାର କରିବେ ବୋଲି ଘୋଷଣା ମଧ୍ୟ କଲେ । କିନ୍ତୁ ଯେପରି ଅବସ୍ଥାରେ ଡାକ୍ତରଖାନାରେ ଆହତ ରହିଥିଲେ ତାହା ଦୁଃଖଦାୟକ ଥିଲା ବୋଲି ଅଭିଯୋଗ ଆଣିଛନ୍ତି କିଛି ସ୍ୱେଚ୍ଛାସେବୀ ।

ସାଲାଇନ୍ ବଦଳାଇବା ପାଇଁ ସ୍ୱାସ୍ଥ୍ୟ କର୍ମୀ ନାହାନ୍ତି । ଏହି କାମ କରୁଛନ୍ତି ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ । ଏପରିକି ଆହତଙ୍କୁ ସଠିକ ଢଙ୍ଗରେ ଡ୍ରେସିଂ ମଧ୍ୟ କରାଯାଇ ନଥିବା ନଜରକୁ ଆସିଥିଲା । ସ୍ୱେଚ୍ଛାସେବୀଙ୍କ ଅଭିଯୋଗ ପରେ ସ୍ୱାସ୍ଥ୍ୟକର୍ମୀ ଡ୍ରେସିଂ କରିବାକୁ ଆସୁଛନ୍ତି । ସବୁଠାରୁ ଦୁର୍ଭାଗ୍ୟର ବିଷୟ, ଏ ଆହତମାନେ ଦୂରଦୂରାନ୍ତରୁ ଆସିଥିବା ଶ୍ରମିକ । କିନ୍ତୁ ଏତେବଡ ଦୁର୍ଘଟଣା ପରେ ବି ତାଙ୍କ ପରିବାର ଲୋକଙ୍କୁ ସୂଚନା ଟିକିଏ ଦେବାକୁ କେହି ଉଚିତ ମଣି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ୱେଚ୍ଛାସେବୀ ।