ଭାସିଗଲା ପୋଲ ! ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗୁଣୁପୁର ଜଗନ୍ନାଥପୁର ନିକଟରେ ଧୋଇଯାଇଛି ଆପ୍ରୋଚରୋଡ

43

କନକ ବ୍ୟୁରୋ : ଭାସିଗଲା ପୋଲ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆପ୍ରୋଚ ରୋଡ୍ ଧୋଇଯିବା ସହ ଭାସିଯାଇଛି ପୋଲ । ଗୁଣୁପୁର ଜଗନ୍ନାଥପୁର ନିକଟରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ହୋଇଥିବା ଅସ୍ଥାୟୀ ଆପ୍ରୋଚ ରୋଡ୍ ଭାସି ଯାଇଛି । ବିଳମ୍ବିତ ରାତିରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଆପ୍ରୋଚ ରୋଡ ଧୋଇଯାଇଛି । ଫଳରେ ଆନ୍ଧ୍ର-ଗୁଣୁପୁର ଯୋଗାଯୋଗ ବିଛିନ୍ନ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି କହିଲେ ଚଳେ ।

ସୂଚନା ଅନୁସାରେ ପୂର୍ବରୁ ବର୍ଷା ଓ ଭାରି ଯାନ ଚଳାଚଳ ଯୋଗୁଁ ଉକ୍ତ ସ୍ଥାନରେ ଥିବା ପୋଲ ଦବି ଯାଇଥିଲା । ଏଥଯୋଗୁଁ ପୂର୍ତ୍ତ ବିଭାଗ ସେହି ସ୍ଥାନରେ ଏକ ଅସ୍ଥାୟୀ ପୋଲ ନର୍ମାଣ କରୁଥିଲେ, ଯାହା ଏବେ ଧୋଇ ହୋଇଯାଇଛି । ତେବେ ଗତ ମାସ ମଧ୍ୟ ବନ୍ୟା ଯୋଗୁଁ ରାୟଗଡ଼ା କଲ୍ୟାଣସିଂହପୁରରେ ବିଭିନ୍ନ ସ୍ଥାନରେ ୩ ଟି ପୋଲ ଭାଙ୍ଗି ଯାଇଥିଲା । ବନ୍ୟାରେ କଲ୍ୟାଣୀ ନଦୀ ବ୍ରିିଜ, କୁମାରଗୁଡ଼ା ବ୍ରିଜ ଓ ଗୁଣ୍ଡିଗୁଡ଼ା ବ୍ରିଜ ଭାଙ୍ଗି ଯାଇଥିଲା ।