୧ କୋଟି ୪୭ ଲକ୍ଷ ଟଙ୍କା ପାଣିରେ ! ଭୁଶୁଡ଼ିଲା ନିର୍ମାଣାଧୀନ ବିଜୁ ସେତୁ

52

କନକ ବ୍ୟୁରୋ: ନିର୍ମାଣର ମାତ୍ର ୧ ଘଂଟା ପରେ ଭୁଶୁଡିଲା ବିଜୁ ସେତୁ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେ ଘଟିଛି ଏହି ଘଟଣା । ଅନ୍ତରପଡ଼ା ପଂଚାୟତର ଏକଡାଳ ଓ ମାଣିକପୁର ଗାଁ ମଧ୍ୟରେ ଥିବା ବଡ଼ନାଳ ଉପରେ ନିର୍ମିତ ଏହି ବିଜୁ ସେତୁ ସ୍ଲାବଟି ନିର୍ମାଣର ମାତ୍ର ଘଂଟାକ ମଧ୍ୟରେ ଭୁଶୁଡ଼ି ପଡିଛି ।

ସ୍ଥାନୀୟ ଅନ୍ତରପଡ଼ା ପଞ୍ଚାୟତର ଏକଡ଼ାଳ ଓ ମାଣିକପୁର ଗ୍ରାମ ମଧ୍ୟରେ ଥିବା ବଡ଼ନାଳ ଉପରେ ନିର୍ମିତ ଏହି ବିଜୁ ସେତୁ ସ୍ଲାବ୍ ନିର୍ମାଣର ମାତ୍ର ଘଣ୍ଟାକ ପରେ ଭୁଶୁଡ଼ି ପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଏତିକି ନୁହେଁ, ସେତୁ ନିର୍ମାଣର ଗୁଣବତ୍ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ଜୋର୍ ଧରିଛି ।

ମିଳିଥିବା ସୂଚନାନୁସାରେ, ଏକଡ଼ାଳ-ମାଣିକପୁର ଗ୍ରାମ ମଧ୍ୟରେ ଗମନାଗମନ ସୁବିଧା ପାଇଁ ବଡ଼ନାଳ ଉପରେ ବିଜୁ ସେତୁ ଯୋଜନାରେ ୧ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ୩୦ ମିଟର ଲମ୍ବ ସେତୁ ନିର୍ମାଣ ପାଇଁ ଚାରି ମାସ ତଳେ ଶୁଭ ଦିଆଯାଇଥିଲା । ଦୁଇମାସ ତଳେ କାମ ଆରମ୍ଭ ହୋଇଥିଲା । ବ୍ରହ୍ମପୁରର ଜଣେ ଠିକାଦାର ଏହାର ଦାୟିତ୍ୱ ନେଇଥିଲେ । ଏହି ସେତୁ ପାଇଁ ତିନି ଭାଗରେ ସ୍ଲାବ୍ ପକାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ଗୋଟିଏ ଭାଗ ସ୍ଲାବ୍ ନିର୍ମାଣ କାମ ଶେଷ ହୋଇଥିଲା। ଠିକାଦାର ଓ ଶ୍ରମିକ ମାନେ କାମ ସାରି ଯିବାର ମାତ୍ର ଘଣ୍ଟାକ ପରେ ଅର୍ଥାତ୍ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା। ଗ୍ରାମବାସୀ ଏହା ଦେଖିବା ପରେ ସଂଗେ ସଂଗେ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ଖବର ଦେଇଥିଲେ। ଆଜି ସକାଳେ ଏକ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେଣ୍ଟ୍ରିଂ ଦୁର୍ବଳ ହୋଇଥିବାରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି।