ବିବାହ ମଣ୍ଡପରେ ମଦ୍ୟପ ବରକୁ ବାହା ହେବାକୁ ମନା କଲା କନ୍ୟା, ପୁଲିସ ଡାକି କରାଇଲା ଗିରଫ

202

ବାହାଘର ବେଶ୍ ଧୁମଧାମରେ ହେବ ବୋଲି ଜଣା ପଡୁଥିଲା। କନ୍ୟା ବି ପ୍ରସ୍ତୁତ ଥିଲା। ହେଲେ ଯେତେବେଳେ ବର କନ୍ୟା ଘରେ ପାଦ ଦେଲେ, ସେତେବେଳେ କନ୍ୟା ଜାଣିପାରିଲା ଯେ ଭାବି ସ୍ୱାମୀ ମଦ୍ୟପାନ କରିଛନ୍ତି। ଭାବି ସ୍ୱାମୀ ଜଣେ କନେଷ୍ଟବଳ। ଏହାପରେ ପୁଲିସ ମଦ୍ୟପ କନେଷ୍ଟବଳକୁ ଗିରଫ କରିଥିଲା। କାହାଲଗାଓଁ ଏସିଡିପିଓଙ୍କ ସୂଚନା ଅନୁଯାୟୀ, ଗତ ଗୁରୁବାର ରାତିରେ ଉଦୟ ରଜକ ନାମକ ଜଣେ କନେଷ୍ଟବଳ ଆକବରପୁର ଗାଁର ଯୋଗେନ୍ଦ୍ର ରଜକଙ୍କ ଝିଅକୁ ବାହା ହେବା ପାଇଁ ବର ବେଶରେ ପହଞ୍ଚିଥିଲେ।

ବରମାଳା ଦେବା ବେଳେ କନ୍ୟାର ମାମୁଁ ପ୍ରସୁନ କୁମାର ରଜକ ବର ଓ ବରଯାତ୍ରୀମାନଙ୍କୁ ମାତ୍ରାଧିକ ମଦ୍ୟପାନ କରିଥିବା ହେତୁ ଗାଳି ଗୁଲଜ କରିଥିଲେ। କନ୍ୟା ଏକଥା ଜାଣିବା ପରେ ସେହି ବିବାହ ମଣ୍ଡପରେ ଘୋଷଣା କଲେ ଯେ ଜଣେ ମଦୁଆକୁ ସେ ସ୍ୱାମୀ ରୂପେ ବରଣ କରିପାରିବେ ନାହିଁ, କନ୍ୟାକୁ ପରିବାର ଲୋକେ ବି ସମର୍ଥନ କରିଥିଲେ।

ଏହାପରେ ସ୍ଥାନୀୟ ଲୋକେ ପୁଲିସ ଥାନାରେ ଏ ସଂପର୍କରେ ଖବର ଦେଲେ। ତା’ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବରକୁ ଗିରଫ କରିଥିଲା ଏବଂ ତାଙ୍କ ବିରୋଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତେବେ ବର ପିତା କି ବରଯାତ୍ରୀଙ୍କ ମଧ୍ୟରୁ କାହାରିକୁ ଗିରଫ କରାଯାଇନଥିଲା।