ବାହାବେଦୀରୁ ଶିଶୁପାଳ ହୋଇ ଫେରିଲା ମଦୁଆ ବର ! ନିଶାରେ ମତୁଆଲା ବରକୁ ବାହା ହେବାକୁ ମନା କରିଦେଲେ ମଙ୍ଗୁଳା କନ୍ୟା

39

କନକ ବ୍ୟୁରୋ : ବାହାବେଦୀରୁ ଶିଶୁପାଳ ହୋଇ ଫେରିଲା ମଦୁଆ ବର । ନିଶାରେ ମାତାଲ ବରକୁ ବାହାହେବାକୁ ମନା କରିଦେଲେ ମଙ୍ଗୁଳା କନ୍ୟା । ଏହି ଘଟଣା ଷ୍ଟିଲ୍ ସିଟି ରାଉରକେଲାରେ ଚର୍ଚ୍ଚାର ବିଷୟ ହୋଇଛି । ବାହାହେବାକୁ ଆସିଥିବା ବର ଓ ବରଯାତ୍ରୀମାନେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ବିବାହ ମଣ୍ଡପ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଏପରିକି କନ୍ୟା ପକ୍ଷର ଲୋକଙ୍କୁ ଅସଭ୍ୟ ବ୍ୟବହାର କରିବା ସହ ମାରପିଟ କରିଥିଲେ । ଏନେଇ ଝିଅ ଘର ଲୋକେ ଟାଙ୍ଗରପାଲ୍ଲୀ ଥାନାରେ କ୍ଷତିପୂରଣ ଦାବିରେ ଅଭିଯୋଗ କରିଛନ୍ତି ।

ବରକୁ ବରଣୀ ନେଉଥିଲେ କନ୍ୟାଘର ଲୋକେ । ଖୁସିର ମୁହୂର୍ତ୍ତ କିନ୍ତୁ କ୍ଷଣିକରେ ପାଣିଫୋଟକା ପରି ମିଳେଇଗଲା । ଭୋଜିଭାତ ସବୁ ଅଟକି ଗଲା । ରାଉରକେଲା ସାରନଗରୀରେ ଝିଅ ବାହାଘର ହେଉଥିଲା । ବନ୍ଧମୁଣ୍ଡା ଥାନା ଚମ୍ପାଗଡ ବସ୍ତିର ଶଙ୍କର ପଣ୍ଡାଙ୍କ ସହ ବାହାଘର ହେଉଥିବା ବେଳେ ବର ଓ ବରଯାତ୍ରୀ ମଦ ପିଇ ଉନ୍ମତକାଣ୍ଡ ଭିଆଇଲେ ।

ଅତ୍ୟଧିକ ମଦ୍ୟପାନ କରି କନ୍ୟାପକ୍ଷ ଲୋକଙ୍କୁ ଅସଭ୍ୟ ବ୍ୟବହାର କଲେ । ଆଉ ଏହି ଘଟଣାରେ ତାତି ଉଠିଲେ କନ୍ୟା ଓ ପରିବାର ବର୍ଗ । ବର ଓ ବରଯାତ୍ରୀଙ୍କ ଏହି କାଣ୍ଡ ପରେ ବିବାହ ଅଧାରେ ଅଟକି ଗଲା । ବରପକ୍ଷର ଏଭଳି କାଣ୍ଡ ନେଇ କ୍ଷତିପୂରଣ ଦାବିରେ ଝିଅ ଘର ଲୋକେ ଟାଙ୍ଗରପାଲ୍ଲୀ ଥାନା ଘେରାଓ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ବର ଓ ତାଙ୍କ ଭାଇଙ୍କୁ ଗିରଫ କରିଛି ।