ଚୀନରେ ପହଁଚିଲେ ପ୍ରଧାନମନ୍ତ୍ରୀ ! ବ୍ରିକ୍ସ ସମ୍ମିଳନୀରେ ହେବ ଆଲୋଚନା

25

କନକ ବ୍ୟୁରୋ : ଡୋକଲାମ ବିବାଦର ସମାଧାନ ପରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ପହଁଚଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର ବାରଣ ସତ୍ୱେ ପଂଚରାଷ୍ଟ୍ରୀୟ ସମ୍ମିଳନୀରେ ମୋଦି କହିପାରନ୍ତି ସୀମାପାର ଆତଙ୍କବାଦର କାହାଣୀ । ଅନ୍ୟ ୪ ରାଷ୍ଟ୍ରମୁଖ୍ୟଙ୍କ ସମ୍ମୁଖରେ ପଡୋଶୀ ପାକିସ୍ତାନର ମୁଖା ଖୋଲିପାରନ୍ତି ପ୍ରଧାନମନ୍ତ୍ରୀ । ଆୟୋଜକ ଚୀନ କିନ୍ତୁ ଏହି ସମ୍ମିଳନୀ ପୂର୍ବରୁ ପାକିସ୍ତାନ କିମ୍ବା ଆତଙ୍କବାଦ ପ୍ରସଙ୍ଗ ନଉଠାଉବାକୁ ଭାରତକୁ ତାଗିଦ କରିଛି । ଚୀନ କହିଛି, ଏହି ପ୍ରସଙ୍ଗ ଆଲୋଚନା କରିବାର ପ୍ରକୃଷ୍ଟ ସ୍ଥାନ ଏହି ସମ୍ମିଳନୀ ନୁହେଁ । ଏହା ସତ୍ୱେ ମୋଦି କିନ୍ତୁ ପଡୋଶୀର ପ୍ରତାରଣାର କଥା ସମ୍ମିଳନୀରେ ରଖିବେ ବୋଲି ରାଜନୈତିକ ସମୀକ୍ଷକ ମାନେ ଆଶା ରଖିଛନ୍ତି । କାରଣ ଡୋକଲାମରେ କୂଟନୈତିକ ବିଜୟ ଲାଭ କରିବା ପରେ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି ।

ସେପଟେ ଆନ୍ତର୍ଜାତୀୟ କଟକଣା ସତ୍ୱେ ଉତର କୋରିଆ ଉଦଯାପନ ବୋମା ପରୀକ୍ଷା କରିବା ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି । ତେଣୁ ଋଷିଆର ରାଷ୍ଟ୍ରପତି ପୁଟିନ୍ ଏହି ସମ୍ମିଳନୀରେ ଉତର କୋରିଆ ପ୍ରସଙ୍ଗ ଉଠାଇବାର ଯଥେଷ୍ଟ ସମ୍ଭାବନା ରହିଛି, ଯାହା ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । କାରଣ ଉଭୟ ପାକିସ୍ତାନ ଓ ଉତରକୋରିଆ ଚୀନ ସହଯୋଗରେ ଭୟଙ୍କର ମାରଣାସ୍ତ୍ର ନିର୍ମାଣ କରୁଛନ୍ତି ।

ଡୋକଲାମ ବିବାଦ ପରେ କିଭଳି ରହିବ ଚୀନ ଓ ଭାରତ ମଧ୍ୟରେ ସଂପର୍କ, ବ୍ରିକ୍ସ ସମ୍ମିଳନୀରେ ଏହାର ଝଲକ ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀ ମୋଦି ଚୀନରେ ପହଁଚିବା ପରେ ଭାରତୀୟ କମ୍ୟୁନିଟି ସହ ଆଲୋଚନା କରିଛନ୍ତି ।