ବ୍ରିକ୍ସରେ ଓଡିଶାର ବାର୍ତ୍ତା : ମିତ୍ରରାଷ୍ଟ୍ରକୁ ଶିଳ୍ପୀ ସୁଦର୍ଶନ ଦେଲେ ସଂହତିର ସନ୍ଦେଶ

64

sudarsan-pattnaik-sandart-in-brics-goa-bbsrbuzz-1କନକ ବ୍ୟୁରୋ : ବ୍ରାଜିଲ୍, ଋଷିଆ, ଭାରତ , ଚୀନ୍ ଓ ଦକ୍ଷିଣ ଆଫ୍ରିକା । ଗୋଟିଏ ଛାତ ତଳେ ୫ ଦେଶର ରାଷ୍ଟ୍ରମୁଖ୍ୟ । ଆଉ ଗୋଟିଏ ଛାତ ତଳେ ପାଂଚ ଦେଶର ସ୍ମାରକୀ । ବ୍ରାଜିଲର ଖ୍ରୀଷ୍ଟ ଦି ରିଡମର୍, ଋଷର ସେଂଟ୍ ବ୍ରାସିଲ କ୍ୟାଥେଡ୍ରାଲ୍, ଭାରତର ତାଜମହଲ, ଚୀନର ଗ୍ରେଟ୍ ୱାଲ୍ ଅଫ୍ ଚାଇନା ଓ ଦକ୍ଷିଣ ଆଫ୍ରିକାର ଷ୍ଟାଚ୍ୟୁ ଅଫ୍ ନେଲସନ୍ ମାଣ୍ଡେଲା ।

ପରଦେଶରେ ନିଜ ଦେଶର ସୃଜନୀକୁ ଦେଖି ବିସ୍ମିତ ହୋଇ ପଡୁଥିଲେ ରାଷ୍ଟ୍ରମୁଖ୍ୟମାନେ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଧୁ ଦେଶର ବନ୍ଧୁଙ୍କୁ ବୁଝାଉଥିଲେ ଶ୍ରୀକ୍ଷେତ୍ରରର ମହୋଦଧି କୂଳରୁ କେମିତି ଜନ୍ମ ନେଇଥିଲା ବାଲୁକା କଳା । କେବଳ ସେତିକି ନୁହେଁ ସାରା ବିଶ୍ୱରେ ବାଲୁକା କଳାକୁ ଲୋକପ୍ରିୟ କରାଇଥିବା ଓଡିଆ ପୁଅ ସୁଦର୍ଶନ ପଟ୍ଟନାୟକଙ୍କୁ ଅନ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ଆଗରେ ଭୁରି ଭୁରି ପ୍ରଶଂସା କରୁଥିଲେ । ଲାଗୁଥିଲା, ସତେ ଯେମିତି ଅନ୍ତର୍ଜାତୀୟ ସମ୍ମିଳନୀକୁ ଏକତାର ସନ୍ଦେଶ ଦେଉଥିଲା ଓଡିଶାର ଏହି ସୃଜନୀ କଳା ।

ବ୍ରିକ୍ସ ସମ୍ମିଳନୀରେ ସୁଦର୍ଶନ ଦେବେ ସଂହତିର ବାର୍ତ୍ତା । ଏଥିପାଇଁ ଅନେକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଦର୍ଶନଙ୍କୁ ଦେଇଥିଲେ ନିମନ୍ତ୍ରଣ । ସୁଦର୍ଶନଙ୍କ ସମ୍ମତି ପରେ ମୋଦି ମଗାଇଥିଲେ ମିତ୍ର ରାଷ୍ଟ୍ରରୁ ବାଲି । ଆଉ ସୁଦର୍ଶନଙ୍କ ଅଙ୍ଗୁଳି ସ୍ପର୍ଶରେ ବିଦେଶର ମୃତବାଲି ପାଇଥିଲା ଜୀବନ୍ୟାସ । ସାରା ବିଶ୍ୱକୁ କହୁଥିଲା ଶାନ୍ତି ଓ ମୈତ୍ରୀର କଥା । ତେଣୁ ତ ବ୍ରିକ୍ସର ଆଲୋଚନା ଠାରୁ ସାରା ବିଶ୍ୱର ଗଣମାଧ୍ୟମରେ ଅଧିକ ଚର୍ଚ୍ଚିତ ହୋଇଥିଲା ସୁଦର୍ଶନଙ୍କ ଏହି ବାଲୁକା କଳା ।