କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ଲାଂଚ ଦେବାକୁ ଉଦ୍ୟମ : ଲଫାପା ଭିତରେ ଦିଆଗଲା ୫ଶହ ଟଙ୍କିଆ ନୋଟ୍

21

କନକ ବ୍ୟୁରୋ : ସାମ୍ବାଦିକଙ୍କ ହାତରେ ୫୦୦ଟଙ୍କିଆ ନୋଟ । ଏନଏଚଏଆଇ କର୍ତ୍ତୃପକ୍ଷ ସାମ୍ବାଦିକମାନଙ୍କୁ ଦେଇଥିବା ଫାଇଲ ଭିତରୁ ବାହାରିଲା ଟଙ୍କା । ଆଜି ଅନୁଗୁଳରେ କିଛି ଏପରି ଚିତ୍ର ସାମ୍ନାକୁ ଆସିଛି । ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥକୁ ୪ଲେନ୍ ବିଶିଷ୍ଟ କରାଯିବ । ଏଥିପାଇଁ ଅନୁଗୁଳ ଗସ୍ତ କରିଥିଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ପୂରା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ । ମଂଚ ଉପରେ ନୀତିନ ଗଡକରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜୁଏଲ ଓରାମ,ରାଜ୍ୟ ବିଜେପି ସଭାପତି ଓ ଅନେକ ନେତା ବି ଉପସ୍ଥିତ ଥିଲେ । ଠିକ ଏତିକି ବେଳେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଭିତରେ ଖେଳିଗଲା ଭାଳେଣି । କାହିଁକି ନା ଏନଏଚଏଆଇ କର୍ତ୍ତୃପକ୍ଷ ସାମ୍ବାଦିିକ ମାନଙ୍କୁ ବାଂଟିଥିବା ସୂଚନା ପତ୍ର ସମ୍ବଳିତ ଫାଇଲ ଭିତରୁ ମିଳିଲା ୫୦୦ଟଙ୍କିଆ ନୋଟ । କେବଳ ଗୋଟିଏ କି ଦୁଇଟି ଫାଇଲ ନୁହେଁ ସବୁ ସାମ୍ବାଦିକଙ୍କୁ ଲଫାପା ଭିତରେ ବଂଟାଯାଇଥିଲା ଟଙ୍କା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସାମ୍ବାଦିକ ମାନେ ।

କିନ୍ତୁ କାହିଁକି ସାମ୍ବାଦିକଙ୍କୁ ବଣ୍ଟା ଗଲା ଟଙ୍କା? ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ସାମ୍ବାଦିକଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଛନ୍ତି କି? ନାଁ ଏହା ପଛରେ ରହିଛି କୈାଣସି ରାଜନୈତିକ କାରଣ? ଏସବୁ ଭିତରେ ବିଜେପି କହିଛି କିଏ ଓ କାହିଁକି ଟଙ୍କା ବାଂଟିଲେ ଜଣା ନାହିଁ । ଏମିତିକି ଯୁକ୍ତି ବାଢଛିି ପୂର୍ବରୁ ବିଜେଡି କାର୍ଯ୍ୟକ୍ରମରେ ବି ଏଭଳି ଘଟିଛି ।୨୦୧୫ ମସିହାରେ ପୁରୀରେ ବି ବିଜେଡି ନେତାଙ୍କ ଉପସ୍ଥିତରେ ସାମ୍ବାଦିକଙ୍କୁ ବନ୍ଦ ଲଫାପାରେ ଟଙ୍କା ବଂଟାଯାଇଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସାମ୍ବାଦିକ । ଏବେ ବିଜେପି ନେତାଙ୍କ ଉପସ୍ଥିତିରେ ପୁଣି ଥରେ ସାମ୍ବାଦିକଙ୍କୁ ଯଚା ଯାଇଛି ଲାଂଚ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ସତ୍ୟ ଓ ତଥ୍ୟକୁ ସାମ୍ନାକୁ ଆଣିଥାଏ ଗଣମାଧ୍ୟମ । ସାମ୍ବାଦିକତା ଓ ସାମ୍ବାଦିକଙ୍କ ସ୍ୱାଭିମାନକୁ ଆଞ୍ଚ ଆଣିବା ଭଳି ଟଙ୍କା ବଣ୍ଟାର ଯେଉଁ ଚିତ୍ର ସାମ୍ନାକୁ ଆସିଲା ଏଥିପାଇଁ ଦାୟୀ କିଏ?