ଟଙ୍କା ଦେଲେ ମିଳୁଛି ସରକାରୀ ଯୋଜନାର ଘର : ସାରା ଓଡିଶାରେ ପିସିକୁ ନେଇ ପ୍ରତିକ୍ରିୟା

40

କନକ ବ୍ୟୁରୋ : ବ୍ଲକ ସ୍ତରରେ ବର୍ଷବର୍ଷ ଧରି ଚାଲିଛି ପିସି କାରବାର । ଗ୍ରାମାଂଚଳର ଗରିବ ଲୋକ, ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ଖଣ୍ଡିଏ ପାଇଁ ମଞ୍ଜୁର ଟଙ୍କାର ୧୦ ପ୍ରତିଶତ ପର୍ଯ୍ୟନ୍ତ ଦେଉଛନ୍ତି । ପିସି କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ଏହି ପିସି ବା ଲାଂଚ କାରବାରକୁ ନେଇ ଜୋରଦାର ଚର୍ଚ୍ଚା । କିଭଳି ଚାଲିଛି ପର୍ସେଂଟେଜ କାରବାର ତାର ସତ୍ୟାସତ୍ୟ ପରଖିଛି କନକ ନ୍ୟୁଜ । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ପରି ବଲାଙ୍ଗିର ଓ କୋରାପୁଟରେ ପିସି କାରବାରର ସତ ସାମ୍ନାକୁ ଆସିଛି । ଏପଟେ ୧୭ବର୍ଷ ଧରି ଶାସନରେ ଥିବା ନବୀନ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପିସି କାରବାର ନେଇ ସରକାର ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବଲାଙ୍ଗିର ଜିଲ୍ଲା ବୁବେଲ ଗାଁର ବିନୋଦିନୀ ସେଠ୍ । ଏହି ଗରିବ ମହିଳାଙ୍କ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତଘର । ଏକ ନୂଆଁଣିଆ ଚାଳଛପର ଘରେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଦୀର୍ଘଦିନରୁ । ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ପାଇଁ ସରକାରୀ ବାବୁମାନେ ମାଗୁଛନ୍ତି ୧୦ ହଜାର ଟଙ୍କା । ସରକାରୀ ସହାୟତାରେ ଛାତଘର ଖଣ୍ଡିଏ କରିବାକୁ ଅନାଇ ବସିଥିବା ଅନେକ ଲୋକଙ୍କ ସେହି ସମାନ ଅଭିଯୋଗ । ହିତାଧିକାରୀଙ୍କୁ ମଗାଯାଉଛି ହାତଗୁଞ୍ଜା ।
କୋରାପୁଟ ଜିଲ୍ଲାର ଗଢପଦର ଗାଁ । ହିତାଧିକାରୀଙ୍କୁ ବିଜୁ ପକ୍କାଘର ପାଇଁ ୩ଟି କିସ୍ତିରେ ମିଳୁଛି ଟଙ୍କା । ଆଉ ପ୍ରତିଥର କିସ୍ତି ପାଇଁ ୱାର୍ଡମେମ୍ବର, ସରପଂଚଙ୍କଠୁ ଆରମ୍ଭ କରି ଠିକାଦାର, ଜେଇ, ବିଡିଓଙ୍କ ଯାଏଁ ସମସ୍ତଙ୍କୁ ଦେବାକୁ ପଡୁଛି ଲାଂଚ । ମଞ୍ଜୁର ୧ଲକ୍ଷ ୩୦ ହଜାର ଟଙ୍କାରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ କାଟି ରଖୁଛନ୍ତି ସରକାରୀ ବାବୁ । ବ୍ଲକସ୍ତରରେ ପିସି କାରବାର ବନ୍ଦ କରିବାକୁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ରାଜ୍ୟର ୩୧୪ ବ୍ଲକକୁ ବିଭିନ୍ନ ସରକାରୀ ଯୋଜନା ବାବଦରେ ପ୍ରତିବର୍ଷ ସରକାରୀ ତହବିଲରୁ ଯାଉଛି ହଜାର ହଜାର କୋଟି ଟଙ୍କା ।

ବ୍ଲକସ୍ତରରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ଚାଲିଛି ପିସି କାରବାର । ଏଭଳି ଖୁଲାସା କରିଥିଲେ ଖୋଦ୍ ନବୀନ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ । କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ପଂଚାୟତିରାଜମନ୍ତ୍ରୀ ପ୍ରଦୀପ ମହାରଥୀ ପର୍ସେଂଟେଜ କାରବାର ଚାଲିଥିବା ସ୍ୱୀକାର କରିଥିଲେ । ବନ୍ଦ କରିବାକୁ ପଦକ୍ଷେପ ନେବେ ବୋଲି କ୍ୟାମେରା ସାମ୍ନାରେ ପ୍ରତିଶ୍ରୁତି ବି ଦେଇଥିଲେ ।

ଏବେ ସରକାରଙ୍କ ମୁଖ୍ୟ ଅର୍ଥାତ ଖୋଦ୍ ମୁଖ୍ୟମନ୍ତ୍ରୀ ପିସି କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ପିସି କାରବାରରେ ଅଭ୍ୟସ୍ତ ସରକାରୀ ବାବୁଙ୍କଠୁ ଆରମ୍ଭ କରି ତଳତଳିଆ ନେତାଙ୍କ ଯାଏଁ ହଠାତ ଏସବୁ ଉପରେ ଅଙ୍କୁଶ ଲଗାଇବାକୁ ଦେବେ ତ? ସରକାରୀ ଘୋଷଣା ଖାଲି ଘୋଷଣାରେ ରହିଯିବ ନାହିଁ ତ? ବର୍ଷବର୍ଷ ଧରି ହାତଗୁଞ୍ଜା ଦେଇଆସୁଥିବା ଗରିବ ଖଟିଖିଆଙ୍କୁ ମିଳିବ ତ ମୁକ୍ତି ?