ପୂର୍ବତନ କ୍ରିକେଟର ଲାରା ଅସୁସ୍ଥ । ଛାତିରେ ଯନ୍ତ୍ରଣା ହେବାରୁ ମୁମ୍ବାଇର ଏକ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି ।

301

ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟସମ୍ୟାନ ବ୍ରାଏନ ଲାରା ଅସୁସ୍ଥ । ଲାରାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମଙ୍ଗଳବାର ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲରେ ଲାରାଙ୍କୁ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଲାରାଙ୍କୁ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଲାରାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କୌଣସି ସୂଚନା ଦେବାକୁ ସିଧାସଳଖ ମନା କରିଛନ୍ତି ।

ଚଳିତ ବିଶ୍ୱକପରେ ଷ୍ଟାର ସ୍ପୋର୍ଟସର କ୍ରିକେଟ କମେଣ୍ଟ୍ରି ଟିମରେ ଲାରା ରହିଛନ୍ତି । ତେଣୁ କ୍ରିକେଟ ବିଶେଷଜ୍ଞ ଭାବେ କମେଣ୍ଟ୍ରି ପାଇଁ ଲାରା ଏବେ ମୁମ୍ବାଇରେ ରହିଛନ୍ତି । ମିଳିଥିବା ସୂଚନା ମୁତାବକ, ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିବା ଜଣାଇଥିଲେ । ଆଉ ସଙ୍ଗେ ସଙ୍ଗେ ଲାରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୫୦ ବର୍ଷୀୟ ଲାରା ୱେଷ୍ଟଇଣ୍ଡିଜ ପକ୍ଷରୁ ୧୩୧ଟି ଟେଷ୍ଟ ମ୍ୟାଚ୍ ଖେଳି ୧୧୯୫୩ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ ମ୍ୟାଚରେ ବ୍ୟକ୍ତିଗତ ୪୦୦ ରନ୍ କରିବା ସହ ନିଜ ନାଁରେ ବିଶ୍ୱରେକର୍ଡ କରିଛନ୍ତି ଲାରା । ଟେଷ୍ଟ କ୍ୟାରିୟରରେ ୩୪ଟି ଶତକ ମାରିଥିବା ଲାରା ୱେଷ୍ଟଇଣ୍ଡିଜର ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଜଣେ ।