ବ୍ରହ୍ମଗିରିରେ ଏଥର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପରିବାର ମଧ୍ୟରେ ମୁକାବିଲା : ବିଜେଡ଼ି ବିଜେପି ମଧ୍ୟରେ କଡ଼ା ଟକ୍କର, କିଏ ମାରିବ ବାଜି ?

687

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ରାଜନୀତି ସେତିକି ସରଗରମ ହେଉଛି । ଚଳିତ ନିର୍ବାଚନରେ ବ୍ରହ୍ମଗିରିରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପରିବାର ମଧ୍ୟରେ ମୁକାବିଲା । ପୂର୍ବ ଭଳି ବିଧାୟକ ସଞ୍ଜୟ ଦାସବର୍ମା ବିଜେଡି ଟିକଟରେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର ହାତ ବଦଳରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ତେଣୁ ଏହି ଦୁଇ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଏଥର କଡ଼ା ଟକ୍କର ହେବାକୁ ଯାଉଛି ।

ଉଭୟ ଦଳ ଏଥର ଭୋଟରଙ୍କ ସମର୍ଥନ ହାତେଇଥିବା ଲାଗି ଭିନ୍ନ ପ୍ରକାରର ରଣନୀତି ଆପଣେଇଛନ୍ତି । ସଭାସମିତି କରି ନିଜ ଦଳର ଲୋକଙ୍କୁ ସଂଗଠିତ କରିବା ବଦଳରେ ବିରୋଧୀ ଦଳର କର୍ମୀଙ୍କୁ ଆଣି ଦଳରେ ମିଶାଇବା ଭଳି କାର‌୍ୟ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ ଦଳର ନେତା । ଅନ୍ୟପଟେ କଂଗ୍ରେସ ଓ ବିଜେପିର ଗଡ଼ କୁହାଯାଉଥିବା ସାତପଡ଼ାରେ ପଶିଛି ବିଜେଡି । ସେଠାରେ ଶତାଧିକ କର୍ମୀଙ୍କୁ ବିଜେଡି ନିଜ ଆଡ଼କୁ ଆଣିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିଜେପି ସମର୍ଥକଙ୍କୁ ବିଜେଡିକୁ ଆଣି ଶଙ୍ଖ ପ୍ରତି ସମର୍ଥନ ବଢ଼ାଇଛନ୍ତି ସଞ୍ଜୟ । ଅନ୍ୟପକ୍ଷରେ ବିଜେଡିର ଗଡ଼ ଥିବା ଅରକୁଦାକୁ ଭାଙ୍ଗିଛି ବିଜେପି । ସେଠାରେ ପଦ୍ମଫୁଲର ହାୱା ବୁହାଇଛନ୍ତି ଲଳିତେନ୍ଦୁ।

ପୂର୍ବ ନିର୍ବାଚନର ଫଳାଫଳକୁ ଦେଖିଲେ, ସ୍ୱର୍ଗତ ଲୁଲୁ ମହାପାତ୍ର୭୭ ହଜାର ୩୩୪ ଭୋଟ ପାଇଥିବା ବେଳେ ସଞ୍ଜୟ ତାଙ୍କଠୁ ୧୬୪୮ ଖଣ୍ଡ ଅଧିକ ଭୋଟ ପାଇଁ ନିର୍ବାଚିତ ହୋଇଥିଲେ । ସଞ୍ଜୟଙ୍କୁ ମିଳିଥିଲା ୭୮ ହଜାର ୯୮୨ ଖଣ୍ଡ ଭୋଟ । ଏଥର ଲୁଲୁଙ୍କ ଭାଇ ଦଳ ବଦଳାଇଥିଲେ ମଧ୍ୟ କଂଗ୍ରେସ ସମର୍ଥକ ତାଙ୍କ ପଛରେ ଅଛନ୍ତି । ଏଠାରେ ଅଧିକାଂଶ କଂଗ୍ରେସ କର୍ମୀ ବିଜେପିରେ ସାମିଲ୍ ହୋଇଛନ୍ତି । ପୂର୍ବରୁ ବିଜେପି ଏଠାରେ ଦୁର୍ବଳ ଥିଲା । ୨୦୧୪ ନିର୍ବାଚନରେ ବିଜେପିକୁ ମିଳିଥିଲା ମାତ୍ର ୩୨୦୦ ଭୋଟ । ଯଦି ସେତିକି ଭୋଟ ଲଳିତେନ୍ଦୁଙ୍କ ସପକ୍ଷରେ ଯିବ ତେବେ ବିଜେପି ବିଜେଡି ଉପରେ ମହଙ୍ଗା ପଡ଼ିବ । ଏହା ବ୍ୟତୀତ ଏଥର ହାୱା ଦୃଷ୍ଟିରୁ ଯୁବଗୋଷ୍ଠୀ ବିଜେପି ମୁହାଁ ହୋଇଥିବା ଦେଖିବାକୁ ମିଳୁଛି।

ମାତ୍ର ରାଜନୈତିକ ପର‌୍ୟ୍ୟବେକ୍ଷକମାନଙ୍କ ଅନୁସାରେ, ବ୍ରହ୍ମଗିରିରେ କଂଗ୍ରେସର ଏକ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କ ଲଳିତେନ୍ଦୁଙ୍କ ସହ ଏଯାଏ ଆସିନାହିଁ । ଏଠାରେ ଉମାକାନ୍ତ ବରାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଉମାକାନ୍ତ କିଛି ଭୋଟ କାଟିଦେଲେ, ଲଳିତେନ୍ଦୁ ସଞ୍ଜୟଙ୍କ ସହ ମୁକାବିଲା କରିବା କଷ୍ଟକର ହେବ ବୋଲି ବିଜେଡି ସମର୍ଥକ କହୁଛନ୍ତି । ତେବେ ବିଜେଡିର ବିଦ୍ରୋହୀଙ୍କ ଠାରୁ ଫାଇଦା ପାଇବାକୁ ଆଶା ରଖିଛି ବିଜେପି । ଏବେ ବିଜେଡିରୁ ସୁଧାକର ସାହୁ, ବାବୁ ସିଂ, ପ୍ରସନ୍ନ ବରାଳ ପ୍ରମୁଖ ଦୂରେଇ ଯାଇଛନ୍ତି। ଏହି ବିଦ୍ରୋହୀଙ୍କ ସମେତ ମିଶନ ଶକ୍ତିର କିଛି ମହିଳାଙ୍କ ସମର୍ଥନ ବିଜେପି ହାତେଇଥିବା ଦାବି କରୁଛି । ତେଣୁ ବିଜେଡିକୁ ମୁହଁତୋଡ଼ ଜବାବ୍ ଦେବା ପାଇଁ ଲଳିତେନ୍ଦୁ ପ୍ରସ୍ତୁତ ରହିଥିବା ସମର୍ଥକମାନେ କହୁଛନ୍ତି ।

ହେଲେ ବିଜେଡି ସମର୍ଥକମାନେ ଏଥିରେ ସହମତ ନୁହନ୍ତି । ବିଜେଡି ଏଥର ଅଧିକ ଭୋଟରେ ଜିତିବ ବୋଲି ସେମାନେ ଦାବି କରୁଛନ୍ତି। ବିଜେପି କିଛି ପ୍ରଭାବ ପକାଇପାରିବ ନାହିଁ ବୋଲି ସେମାନେ କହୁଛନ୍ତି। ବିଜେଡି ସମର୍ଥକଙ୍କ କହିବା କଥା ହେଉଛି, ବିଜେଡି ଛାଡ଼ିଥିବା ନେତାମାନେ ଲୋକଙ୍କୁ ହଇରାଣ କରୁଥିଲେ । ସେମାନଙ୍କୁ ଭୋଟର ପସନ୍ଦ କରନ୍ତି ନାହିଁ । ଏହା ବ୍ୟତୀତ ସାତପଡ଼ାରେ କଂଗ୍ରେସ କର୍ମୀ ଏବେ ବିଜେଡି ସହ ସାମିଲ୍ ହୋଇଛନ୍ତି । କଂଗ୍ରେସର ଭୋଟ ବ୍ୟାଙ୍କ ଥିବା ଭଗବାନପୁର ଓ ଅନ୍ୟ ମୁସଲମାନ ବସତିର ଅନେକ ଭୋଟର ଏବେ ବିଜେଡିକୁ ସମର୍ଥନ କରୁଥିବାରୁ ବିଜେପି ପଛରେ ପଡ଼ିଯିବ ବୋଲି ବିଜେଡି ସମର୍ଥକ ଦାବି କରୁଛନ୍ତି । ବିଜେଡି ତାର ସମର୍ଥକ ବୃଦ୍ଧି କରିବାରେ ସକ୍ଷମ ହୋଇଛି। ଏହାବ୍ୟତୀତ ବିଜେଡି ଏବେ ଗାଁ ଗାଁରେ ବୁଲି ବୈଠକ ଆରମ୍ଭ କରିଛି । ବିଜେପିକୁ ପ୍ରତିରୋଧ କରିବା ପାଇଁ ବିଜେଡିର ଆୟୁଧ ହେଉଛି ଗତ ଥର ଭଳି ଭୋଟ ପୂର୍ବଦିନ ଲୋକଙ୍କ ସହ ମିଶିବା । ଏହି ଆୟୁଧ ଧରି ସଞ୍ଜୟ ଏଥର ପାର୍ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଆୟୁଧକୁ ବିଜେପି କାଟିବାକୁ ଜାଲ ବିଛାଇଥିବା ବିଜେପି ସମର୍ଥକମାନେ କହୁଛନ୍ତି ।