ଫିପା ବିଶ୍ୱକପ ଫୁଟବଲରେ ବଡ ଓଲଟପାଲଟ ! ବ୍ରାଜିଲ ଓ ଉରୁଗୁଏ ହେଲେ ବିଦା । 

35

ବିଶ୍ୱକପର ସଫଳତମ ଦଳ ବ୍ରାଜିଲ ମସ୍କୋ ମହାସମରରୁ ବିଦାୟ ନେଇଛି । ଶୁକ୍ରବାର ରାତିର ଉକ୍ରଣ୍ଠାପୂର୍ଣ୍ଣ ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ବେଲଜିୟମ ୨-୧ ଗୋଲରେ ବ୍ରାଜିଲକୁ ହରାଇଛି । ଏହି ପରାଜୟ ସହ ୫ଥର ବିଶ୍ୱକପ ବିଜେତା ବ୍ରାଜିଲର ଷଷ୍ଠ ବିଶ୍ୱକପ ବିଜୟ ସ୍ୱପ୍ନ ଧୁଳିସାତ୍ ହୋଇଯାଇଛି । ସେପଟେ ବେଲଜିୟମ ନିଜ ପ୍ରଥମ ବିଶ୍ୱକପ ଟ୍ରଫି ଜିତିବା ଦିଗରେ ଆଉ ପାଦେ ଆଗେଇ ସେମିଫାଇନଲକୁ ଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ନାଟକୀୟ ତଥା ଉତ୍କଣ୍ଠାପୂର୍ଣ୍ଣ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମୁକାବିଲାରେ ୟୁରୋପୀୟ ଶକ୍ତି ବେଲଜିୟମ ଏହି ଦକ୍ଷିଣ ଆମେରିକୀୟ ଦଳକୁ ୨-୧ ଗୋଲ୍ରେ ହରାଇ ବିଦାୟର ରାସ୍ତା ଦେଖାଇ ଦେଇଛି। ଫଳରେ ବ୍ରାଜିଲର ଷଷ୍ଠ ବିଶ୍ୱକପ୍ ଜିତିବା ସ୍ୱପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି। ସେପଟେ ବେଲଜିୟମ ନିଜ ପ୍ରଥମ ବିଶ୍ୱକପ୍ ଟ୍ରଫି ଜିତିବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛି। ବ୍ରାଜିଲର ଦୁଃଖଦ ବିଦାୟ ପରେ ମସ୍କୋ ବିଶ୍ୱକପ୍ରେ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ଆଉ ଜଣେ ମହାନାୟକ ନେମାରଙ୍କ ଖେଳ ବି ସରି ଯାଇଛି। ସେହିଭଳି ଚଳିତ ବିଶ୍ୱକପ୍ରୁ ଦକ୍ଷିଣ ଆମେରିକୀୟ ଅଭିଯାନ ବି ମୂଳପୋଛ ହୋଇଛି। ଏହା ପୂର୍ବରୁ କ୍ୱାର୍ଟର ଫାଇନାଲ ପର୍ୟ୍ୟାୟରେ ବଞ୍ଚି ରହିଥିବା ଅନ୍ୟତମ ଦକ୍ଷିଣ ଆମେରିକୀୟ ଦଳ ଉରୁଗୁଏକୁ ଫ୍ରାନ୍ସ ଏକତରଫା ଭାବେ ୨-୦ ଗୋଲ୍ରେ ହରାଇ ବିଦା କରି ଦେଇଥିଲା। ଏବେ ବେଲଜିୟମ-ଫ୍ରାନ୍ସ ମଙ୍ଗଳବାରର ପ୍ରଥମ ସେମିଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ।

ଶୁକ୍ରବାର ବ୍ରାଜିଲର ସେମି ଅଭିଯାନ ଆରମ୍ଭରୁ ଦିଗ ହରାଇଥିଲା। ତ୍ରୟୋଦଶ ମିନିଟ୍ରେ ଆତ୍ମଘାତି ଗୋଲ୍ କରିବା ପରେ ଏହି ଦଳର ଖେଳାଳିଙ୍କ ଆତ୍ମବିଶ୍ୱାସ ଯେମିତି ଦୋହଲି ଯାଇଥିଲା। ପ୍ରଥମ ୧୨ ମିନିଟ୍ ଖେଳ ବରାବର ରହିବା ପରେ ତ୍ରୟୋଦଶ ମିନିଟ୍ କର୍ନରରୁ ବେଲଜିୟମକୁ ବଡ଼ ଫାଇଦା ମିଳିଥିଲା। ଭିନସେଣ୍ଟ କଂପାନି କର୍ନରକୁ ହେଡର କରିବା ପରେ ଏହା ଫର୍ନିନାଣ୍ଡୋଙ୍କ କହୁଣିରେ ବାଜି ଜାଲରେ ଲାଗିିଥିଲା। ବେଲଜିୟମ ବିଶ୍ୱକପର ସଫଳତମ ଦଳ ବ୍ରାଜିଲର ଏହି ବିରାଟ ଭୁଲ ପାଇଁ ବିନା ପରିଶ୍ରମରେ ଆଗୁଆ ହୋଇ ଯାଇଥିଲା। ୩୧ ମିନିଟ୍ରେ ଯାହାକୁ କେଭିନ ଡି ବ୍ରୁନେ ୨-୦ କରି ନେଇଥିଲେ। ଡି ବ୍ରୁନେ ଦୁଇ ଜଣ ବ୍ରାଜିଲ ରକ୍ଷଣଭାଗ ଖେଳାଳିଙ୍କୁ ଚକ୍ମା ଦେଇ ବକ୍ସ ଧାରରୁ ଗୋଲ୍ ପୋଷ୍ଟର ଡାହାଣ କୋଣକୁ ଲକ୍ଷ୍ୟ କରିଥିଲେ। ବ୍ରାଜିଲ ଗୋଲ୍ ରକ୍ଷକ ଆଲିସନ୍ ଏହାକୁ ରୋକିବା ଲାଗି ସଂପୂର୍ଣ୍ଣ ଶରୀରକୁ ଖୋଲି ଡାଇଭ୍ ମାରିଥିଲେ। ହେଲେ ବଲ୍ ତାଙ୍କୁ ମାତ୍ର ୬ ଇଞ୍ଚରେ ଚକ୍ମା ଦେଇ ଗୋଲ୍ ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ବ୍ରାଜିଲ ପ୍ରଶଂସକଙ୍କୁ ସ୍ତବ୍ଧ କରି ବେଲଜିୟମ ଅଧଘଣ୍ଟାଏରୁ ଟିକିଏ ଅଧିକ ସମୟ ଭିତରେ ମ୍ୟାଚ୍କୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ବ୍ରାଜିଲ ସତଚେଷ୍ଟା କରିଥିଲେ ମଧ୍ୟ ପ୍ରଥମାର୍ଧ ଶେଷ ସୁଦ୍ଧା ବେଲଜିୟମ ରକ୍ଷଣଭାଗ ତାକୁ ଗୋଟିଏ ହେଲେ ବି ଗୋଲ୍ କରିବାକୁ ଦେଇ ନଥିଲେ। ଦ୍ୱିତୀୟାର୍ଧରେ କିନ୍ତୁ ବ୍ରାଜିଲ ସେଥିମଧ୍ୟରୁ ଗୋଟିଏ ଶୁଝି ଦେଇଥିଲା। ରେନାଟୋ ଅଗଷ୍ଟୋ ୭୬ ମିନିଟରେ ଏକ ଚମତ୍କାର ଗୋଲ୍ ଦେବା ପରେ ବ୍ରାଜିଲ ପାଇଁ ଆଶା ଜାଗ୍ରତ ହୋଇ ଯାଇଥିଲା। ହେଲେ ଶେଷ ୨୪ ମିନିଟ୍ରେ ବେଲଜିୟମ ରକ୍ଷଣଭାଗ ବ୍ରାଜିଲକୁ ଆଉ ସଫଳ ହେବାକୁ ଦେଇ ନଥିଲା। ଷ୍ଟପେଜ୍ ଟାଇମର ଶେଷ ମିନିଟ୍ରେ ନେମାରଙ୍କ ଏକ ଶକ୍ତିଶାଳୀ ସଟକୁ କୋର୍ଟଇସ୍ ରୋକିଦେବା ପରେ ବ୍ରାଜିଲ ଆଶା ସେହିଠାରେ ମଉଳି ଯାଇଥିଲା। ୧-୨ର ପରାଜୟ ସହ ବ୍ରାଜିଲ କ୍ୱାର୍ଟର ଫାଇନାଲରେ ତା’ର ଅଭିଯାନ ଶେଷ କରିଥିଲା।