ଓଡିଆ ସେନା ଅଧିକାରୀଙ୍କୁ ସାହସିକତା ପଦକ ! ଏକାକୀ ମାରିଥିଲେ ୧୦ ପାକ୍ ଆତଙ୍କବାଦୀ

49

କନକ ବ୍ୟୁରୋ : ମେ’ମାସ ୨୬ ତାରିଖ, ରାତି ପାଖାପାଖି ୩ଟା । ଏଲଓସି ସୀମବବର୍ତ୍ତୀ ଉରି ସେକ୍ଟରରେ ପହରାରତ ଆଡଭାନ୍ସପାର୍ଟିର ଜଣେ ସୈନିକ ନିଜ ନାଇଟଭିଜନ ବାଇନାକୁଲାରରେ ପାକିସ୍ତାନ ପଟରୁ କିଛି ମଣିଷଙ୍କୁ ଭାରତ ଦିଗକୁ ଆସୁଥିବା ଦେଖିବାକୁ ପାଇଲେ । ଧୀରେ ଧୀରେ ସେମାନେ ଯେତିକି ପାଖେଇ ଆସୁଥିଲେ , ବାଇନାକୁଲାରରେ ଛବି ସେତିକି ସ୍ପଷ୍ଟ ହେଉଥିଲା । ପ୍ରାୟ ସାଢେ ଛଅରୁ ସାତଫୁଟ୍ ଉଚ୍ଚତାଧାରୀ ସେହି ଦୀର୍ଘକାୟ ମଣିଷମାନେ ଯେ ଆତଙ୍କବାଦୀ , ପହରାଗତ ଅଭିଜ୍ଞ ସୈନିକଜଣକ ତାହା ବାରିପାରିଲେ । ସଂଖ୍ୟାରେ ସେମାନେ ଥିଲେ ଦଶଜଣ । ତୁରନ୍ତ ଭଏଚଏଫ୍ ଯୋଗେ ଏହା ସେ କମାଣ୍ଡିଂ ଅଫିସର (୪ ଗଡୱାଲ ରାଇଫଲ୍ସ) ସମରଜିତ ରାୟଙ୍କୁ ଜଣାଇଲେ । ନିଜର ପ୍ରିୟ ଏକେ ୪୭ ରାଇଫଲ ଧରି ପହଁଚିଲେ ସମରଜିତ ଓ ସୈନିକଠାରୁ ବାଇନାକୁଲାର ନେଇ ଅତି ନିକଟରେ ଆତଙ୍କବାଦୀମାନଙ୍କୁ ଦେଖିବାକୁ ପାଇଲେ ।

ଆଉ ସମୟ ନଥିଲା , ବିପଦ ମୁହଁକୁ ଏକାକୀ କୁଦିପଡିଲେ ଓଡିଆ ବୀର କର୍ଣ୍ଣେଲ ସମରଜିତ । ସେ ଆଗେଇଲେ ଏବଂ ପାକିସ୍ତାନ ସୀମା ମଧ୍ୟକୁ ପଶିବା ପାଇଁ ବାଧ୍ୟ ହେଲେ । ସେହି ୧୦ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ କାହାର ବି ଉଚ୍ଚତା ସାଢେ ୬ଫୁଟରୁ କମ୍ ନଥିଲା ଏବଂ ସେମାନେ ଥିଲେ ସଶସ୍ତ୍ର । ତେବେ କିଛିଟା ବେପରୁଆ । କାରଣ , ଅତି ନିକଟରେ ଭୂମିରେ ଲପଟିଥିବା ସମରଜିତଙ୍କ ଉପସ୍ଥିତିକୁ ସେମାନେ ଜାଣି ପାରିନଥିଲେ । ମୃତ୍ୟୁର ଅତି ନିକଟରେ ଥିବା ସମରଜିତ ଏହି ଅସତର୍କତା ସୁଯୋଗରେ ରାଇଫଲ ଚାଲୁ କରିଦେଲେ । ସମସ୍ତଙ୍କ ଗୋଡକୁ ଗୁଳିକରି ତଳେ ପକାଇଲେ ଏବଂ ଅସହ୍ୟ ଯନ୍ତ୍ରଣାରେ ଭୂଇଁ ଦରାଣ୍ଡୁଥିବା ଆତଙ୍କବଦୀଙ୍କୁ ଉରି ସେକ୍ଟର ପର୍ଯ୍ୟନ୍ତ ଘୋଷାଡି ଆଣିଲେ ।

ଏକାକୀ ଏହା କରିବା ସମରଜିତଙ୍କ ପାଇଁ କଷ୍ଟସାଧ୍ୟ ଥିଲେ ମଧ୍ୟ ପାକିସ୍ତାନ ସୀମାରେ ଥାଇ ମୃତ୍ୟୁକୁ ଚାଲେଂଜ କଲାଭଳି ପ୍ରସଙ୍ଗ ହୋଇଥିବାରୁ ତାଙ୍କ ପାଖରେ ଭିନ୍ନ କୈାଣସି ଚାରା ନଥିଲା । ସେମାନଙ୍କ ଠାରୁ ତଥ୍ୟ ଆଦାୟ ସେ ଆରମ୍ଭ କଲେ ଏବଂ ବେଶ୍ କିଛି ହାସଲ କରିବା ମଧ୍ୟରେ ଆତଙ୍କବାଦୀମାନେ ସାମାନ୍ୟ ପ୍ରକୃତିସ୍ଥ ହୋଇ ଏକାକାଳୀନ ଆକ୍ରମଣର ପ୍ରୟାସ କରିବାରୁ ଗୁଳିଚାଳନା କରି ସମସ୍ତଙ୍କୁ ବଧ କଲେ ସମରଜିତ । ୨୭ ତାରିଖର ସୂର୍ଯ୍ୟୋଦୟ ଉରି ସେକ୍ଟରକୁ ଆଲୋକିତ କରିବା ବେଳକୁ ଖେଳ ଖତମ ହୋଇସାରିଥିଲା ।

ଆତଙ୍କବାଦୀଙ୍କ ମୁହଁରୁ ସଂଗ୍ରହ କରିଥିବା ଅତି ମୂଲ୍ୟବାନ ଗୋପନତଥ୍ୟ ସେ ନିଜ ବିଭାଗରେ ଉପସ୍ଥାପନ କରି ସଭିଙ୍କୁ ଚକିତ କରିଦେଲେ । ଏହି ବର୍ଷ ପାଇଂ ‘ସେନାମେଡାଲ ଗ୍ୟାଲେଣ୍ଟ୍ରି’ ପଦକ ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଥିବା ସାମରିକ ଗେଜେଟରେ ପ୍ରକାଶ ପାଇବା ପରେ ତାଙ୍କର ଅନ୍ନ୍ର ସୀମା ରହିଲା ନାହିଁ । ଆଗାମୀ ଜାନୁୟାରୀ ୨୬ରେ ରାଷ୍ଟ୍ରପତିଙ୍କ ଠାରୁ ତାହା ସେ ଗ୍ରହଣ କରିବେ । ଅବଶ୍ୟ ଏହା ପୂର୍ବରୁ ୨୦୦୯ରେ କାର୍ଯ୍ୟଦକ୍ଷତା ପାଇଁ ସେ ‘ମେନସନ୍ ଇନ୍ ଡେସପାଚ୍’ ପଦକ ମଧ୍ୟ ଗ୍ରହଣ କରିସାରିଛନ୍ତି ।

କିଏ ସମରଜିତ ? ଏଭଳି ଦୁର୍ଦ୍ଧର୍ଷବୀରକୁ କେଉଁ ମାଟି ଜନ୍ମ ଦେଇଛି ? କଟକ, ଆଉ କିଏ ! କଟକ ମହନାଗରୀରେ ଚୂନଭାଟି ଗଳି(ଓଶମପି ଛକ)ରେ ଜନ୍ମିତ ଓ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ପୁରାତନ ଛାତ୍ର ୩୭ବର୍ଷୀୟ ସମରଜିତ ହେଉଛନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ପୁଲିସ ଅଫିସର ସଧୀର ଚନ୍ଦ୍ର ରାୟ ଓ ହୋଟେଲ(ଅଳଙ୍କାର) ବ୍ୟବସାୟର ମହିଳା ସ୍ଥପତି ମୀରା ରାୟଙ୍କ ସାନପୁଅ । ସମରଜିତଙ୍କ ବଡଭାଇ ହେଉଛନ୍ତି କଟକର ଏକମାତ୍ର ବେସାମରିକ ବୈମାନିକ କ୍ୟାପଟେନ ସତ୍ୟଜିତ ରାୟ । (ସୌଜନ୍ୟ- ସମାଜ)