ରାଜଧାନୀ ରାଜରାସ୍ତାରେ ଏକୁଟିଆ ଝିଅର ସାହସିକତା ! ଅନ୍ଧାର ରାତିରେ ଲୁଟେରାଙ୍କୁ କଲେ କାବୁ

23

କନକ ବ୍ୟୁରୋ :  ରାଜଧାନୀର ରାଜରାସ୍ତାରେ ଏକୁଟିଆ ଝିଅର ସାହସିକତା । ରାତି ଅଧରେ ଝିଅ ପାଲଟିଲେ ଲେଡି ସିଂଘମ୍ । ଲୁଟ କରିବାକୁ ଆସିଥିବା ଲୁଟେରାକୁ କାବୁ କଲେ ଆଉ ଦେଲେ ପେଂଟେଡ ମେଡିସିନ୍ । ଯାହାକୁ ଦେଖି ଲୋକେ ବି ତାଜୁବ । ରାତି ୯ଟାରେ ଭୁବନେଶ୍ୱର ନୟାପଲ୍ଲୀରାସ୍ତା ଦେଇ ଅଟୋରେ ଘରକୁ ଫେରୁଥିଲେ ସୁଲଭା ପଣ୍ଡା । ତାଙ୍କ ହାତରେ ଥିଲା ଏକ ଦାମି ମୋବାଇଲ ଫୋନ୍ । ନିକଟରେ ତାଙ୍କ ବାପା ତାଙ୍କୁ ଏହି ଦାମି ଉପହାର ଦେଇଥିଲେ । ଦାମି ଫୋନ ଧରି ଅଟୋ ରିକ୍ସାରେ ଏକୁଟିଆ ଆସୁଥିବା ସୁଲଭାଙ୍କ ଉପରେ ପଡିଥିଲା ଲୁଟେରାଙ୍କ୍ ନଜର ।

କିଛି ସମୟ ଧରି ତାଙ୍କର ପିଛା କରିଥିଲେ ଲୁଟେରା । ଏହାପରେ ସୁଯୋଗ ଦେଖି ଫୋନଟି ଛଡେଇ ନେଇଥିଲେ ଦୁଇ ଲୁଟେରା । ହେଲେ ସୁଲଭା ସାଙ୍ଗେସାଙ୍ଗେ ଅଟୋରୁ ଡେଇଁପଡି ଜଣେ ଲୁଟେରାଙ୍କୁ କାବୁ କରି ନିର୍ଦ୍ଧୁମ ମାଡ ମାରିଥିଲେ । ସେହି ସମୟରେ ଅଟୋ ଡାଇଭ୍ରର ବି ଉପସ୍ଥିତ ବୁଦ୍ଧି ଖଟାଇ ଅନ୍ୟ ଲୁଟେରା ଯାଉଥିବା ଗାଡିକୁ ଅଟୋକୁ ଧକ୍କା ଦେଇଥିଲେ । ପରେ ଦୁଇ ଲୁଟେରାଙ୍କୁ ପୋଲିସ ଜିମା ଦିଆଯାଇଥିଲା । ନୟାପଲ୍ଲୀ ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆଉ ଏହି ଦୁଇ ଜଣ ପ୍ରଫେସନାଲ ଲୁଟେରା ବୋଲି ପୋଲିସ ସୂଚନା ଦେଇଛି ।