ଯାତ୍ରୀଙ୍କୁ ବଂଚାଇଦେଲା ସାହାସୀ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ! ଚଳନ୍ତା ବସରୁ ଡେଇଁ ଲୁଟେରା ଠାରୁ ଛଡାଇ ଆଣିଲେ ବନ୍ଧୁକ,ଗାଡି ଛାଡି ଚମ୍ପଟ ମାରିଲେ ଡକାୟତ୍

32

କନକ ବ୍ୟୁରୋ : ସିନେ ପରଦାରେ ଦେଖୁଥିବା ଦୃଶ୍ୟ, ଯେତେବେଳେ ସତ ସତିକା ଘଟଣା ହୋଇ ସାମ୍ନାକୁ ଆସେ, ତାହା ନିଶ୍ଚିତ ଭାବରେ ଲୋକଙ୍କୁ ଆକର୍ଷିତ କରେ । ଠିକ୍ ଫିଲ୍ମର କାହାଣୀ ଭଳି ଘଟଣାଟିଏ ଘଟିଥିଲା, ନୟାଗଡ଼ ଜିଲ୍ଲାରେ । ଯେତେବେଳେ ବସ୍ ଲୁଟ୍ ଉଦ୍ୟମ ହେଉଥିଲା, ଫିଲ୍ମର ହିରୋ ଭଳି ସାହାସିକତା ଦେଖାଇଥିଲେ ବସର ଡ୍ରାଇଭର । ବସରୁ ଡେଇଁ ବନ୍ଧୁକ ଦେଖାଇ, ଲୁଟେରାଙ୍କ ଲୁଟ୍ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ ଜଣେ ସାହାସୀ ଡ୍ରାଇଭର । ଯାତ୍ରାବାହୀ ବସ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତା ଯୋଗୁଁ ପଣ୍ଡ ହୋଇଛି ଲୁଟେରାଙ୍କ ଲୁଟ ଉଦ୍ୟମ । ଲୁଟେରାଙ୍କ ବନ୍ଧୁକକୁ ଭୟ ନକରି ବସରୁ ଓହ୍ଲାଇ ଲୁଟେରାଙ୍କୁ ଧରିବାରେ ସଫଳ ହେଲେ ନୟାଗଡର ଦବଙ୍ଗ ଡ୍ରାଇଭର ସୁବାସ ଗନ୍ତାୟତ ।

ଫିଲ୍ମ ଷ୍ଟାଇଲରେ ଲୁଟ ଉଦ୍ୟମ । ଯାତ୍ରୀବାହୀ ବସ୍ ପଛେ ପଛେ ରେଡ ପଲସରରେ ପିଛା କରୁଛନ୍ତି ଲୁଟେରା । ଥରେ କି ଦୁଇ ଥର ନୁହେଁ, ତିନି ତିନି ଥର କରିଛନ୍ତି ଲୁଟ ଉଦ୍ୟମ । ଏହିଭଳି ଢଙ୍ଗରେ ବସଟିକୁ ପିଛା କରିଥିଲେ ଲୁଟେରା । ନୟାଗଡରେ ଯାତ୍ରୀବାହୀ ବସକୁ ଅଧ ବାଟରେ ଅଟକାଇ ବନ୍ଧୁକ ଦେଖାଇ ଲୁଟ ପାଇଁ ଉଦ୍ୟମ କରୁଥିବା ଲୁଟେରାଙ୍କୁ ସାମ୍ନା କରିଥିଲେ ଦବଙ୍ଗ ଡ୍ରାଇଭର । ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବସ ସିଟରୁ ତଳକୁ ଡେଇଁ ବନ୍ଧୁକ ଦେଖାଇ ବସ ଅଟକାଇବାକୁ ଉଦ୍ୟମ କରୁଥିବା ଲୁଟେରାଙ୍କୁ କାବୁ କରିନେଇଥିଲେ ଡ୍ରାଇଭର । ଲୁଟେରାଙ୍କ ବନ୍ଧୁକ ଦେଖି ଡରିନଯାଇ ଅତି ସାହାସର ସହ ବନ୍ଧୁକଟିକୁ ଛଡାଇ ଆଣିବାରେ ସଫଳ ହୋଇଥିଲେ । ଡ୍ରାଇଭରଙ୍କ ସାହାସ ଦେଖି ଯାତ୍ରୀ ମାନେ ତଳକୁ ଓହ୍ଲାଇବା ପରେ ବାଇକ ଛାଡି ଚମ୍ପଟ ମାରିଥିଲେ ଲୁଟେରା ।

ବନ୍ଧୁକ ଓ ଲୁଟେରା ଛାଡିଯାଇଥିବା ବାଇକ ଜବତ କରି ଛାନଭିନ୍ କରୁଛି ନୟାଗଡ ପୁଲିସ । ଭୁବନେଶ୍ୱରରୁ ଗଂଜାମ କାଦୁଆକୁ ଯାଉଥିଲା ଅମ୍ବିକା ଯାତ୍ରୀବାହୀ ବସକୁ ନୟାଗଡ ମହୀପୁର ନିକଟରେ ୨ଜଣ ଦୁର୍ବୃତ୍ତ ପଲସର ଆସି ବସଟିକୁ ଅଟକାଇକୁ ଉଦ୍ୟମ କରିଥିଲେ । କିନ୍ତୁ ଡ୍ରାଇଭରଙ୍କ ସାହାସିକତା ଯୋଗୁଁ ଲୁଟ ଉଦ୍ୟମରେ ବିଫଳ ହୋଇଥିଲେ ଦୁର୍ବୃତ୍ତ । ଯାତ୍ରୀ ଲୁଟେରାଙ୍କ କବଳରୁ ରକ୍ଷା ପାଇଯାଇଥିବା ବେଳେ ଦୁର୍ବୃତ୍ତ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।