ସାହାସୀ ବାଳକ ପଙ୍କଜ! ଚମ୍ପୁଆ ବୈତରଣୀ ଗଣ୍ଡରେ ବୁଡି ଯାଉଥିବା ୩ ଜଣ ମହିଳାଙ୍କୁ କଲେ ଉଦ୍ଧାର

90

କନକ ବ୍ୟୁରୋ: ନବମ ଶ୍ରେଣୀ ଛାତ୍ର, ହେଲେ ସାହାସ ଆକାଶକୁ ଛୁଇଁଲା ଭଳି । କେନ୍ଦୁଝରର ସାହାସୀ ବାଳକ ପଂକଜ ମହାନ୍ତଙ୍କ ପ୍ରଶଂସା ଏବେ ସମସ୍ତଙ୍କ ମୁହଁରେ । ବୈତରଣୀ ଗଣ୍ଡରେ ବୁଡି ଯାଉଥିବା ତିନି ଜଣ ମହିଳାଙ୍କୁ ପହଁରି ପହଁରି ଏକାକୀ ଉଦ୍ଧାର କରିଛନ୍ତି ପଂକଜ । ଘଟଣାଟି ଘଟିଛି ଚମ୍ପୁଆ ବ୍ଲକ କାଟୁଳିକନାର ଢିପାସାହି ଅଂଚଳରେ । ମହିଳାମାନେ ନଦୀର ଗାଧୋଉଥିବା ବେଳେ ଚୋରାବାଲିରେ ପଡି ଯାଇଥିଲେ । ଅନ୍ୟମାନେ ଦେଖଣାହାରୀ ସାଜିଥିବା ବେଳେ ପାଣି ଭିତରକୁ କୁଦି ପଡିଥିଲେ ପଙ୍କଜ ।

କେନ୍ଦୁଝର ଚମ୍ପୁଆ ବ୍ଳକ କାଟୁଳିକନା ଗାଁର ବୈଜୟନ୍ତୀ ମହାନ୍ତ ଗାଧୋଇବାକୁ ଯାଇଥିବାବେଳେ ତାଙ୍କ ଗୋଡ ଖସି ଯାଇଥିଲା । ତେବେ ତାଙ୍କୁ ରକ୍ଷା କରିବା ପାଇଁ ସୁଜିତା ଓ ପୁଷ୍ପଲତା ପାଣି ଭିତରକୁ କୁଦି ପଡିଥିଲେ । ମାତ୍ର ତିନି ଜଣ ଯାଙ୍କ ଗଣ୍ଡରେ ପଡି ଥଳ କୂଳ ପାଇନଥିଲେ । ହାତ ଧରା ଧରି ହୋଇ ଭିତରକୁ ଭିତରକୁ ଠେଲି ହୋଇ ଯାଇଥିଲେ । ନିରୁପାୟ ହୋଇ ଜୀବନ ବିକଳରେ ସହାୟତା ଲାଗି ଚିକ୍ରାର କରିଥିଲେ ତିନି ମହିଳା । ଗଣ୍ଡ ଭିତରକୁ ଯିବାକୁ ସାହାସ ଜୁଟାଇବା ଏତେ ସହଜ ନଥିଲା । ହେଲେ ମାଆଙ୍କ ସହ ଗାଧୋଇବାକୁ ଆସିଥିବା ସାହାସୀ ପଂକଜ ଡେଇଁ ପଡିଥିଲେ ପାଣି ଭିତରକୁ । ନିଜ ଜୀବନକୁ ପରୱା ନକରି ଜଣକ ପରେ ଜଣେ ତିନି ଜଣକୁ ପହଁରି ପହଁରି କୂଳକୁ ଆଣିଥିଲେ ପଂକଜ ।

ତେବେ ନବମ ଶ୍ରେଣୀରେ ପଢୁଥିବା ପଂକଜଙ୍କ ଏହି ସାହାସିକ କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ପୂର୍ବରୁ ମଧ୍ୟ କୂଅରେ ପଡି ଯାଇଥିବା ଜଣେ ଲୋକକୁ ଉଦ୍ଧାର କରିଥିଲେ ଏହି ସାହାସୀ ବାଳକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –