ବ୍ରାଣ୍ଡ ନବୀନ ବନାମ ବ୍ରାଣ୍ଡ ବୈଜୟନ୍ତ : ବୈଜୟନ୍ତଙ୍କୁ ନିଲମ୍ବନ ପରେ କଣ ରହିବ ରାଜନୀତିର ଦିଶା । ନବୀନ ପ୍ରମାଣିତ କଲେ, ନିଷ୍ପତ୍ତି ନେବାରେ ସେ ନମ୍ବର ୱାନ୍ ।

48

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କଲା ବିଜୁ ଜନତା ଦଳ । ଦଳୀୟ ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ ଘୋଷଣା କରିବା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଆକଳନ । ପ୍ରଭାବକୁ ନେଇ ଚର୍ଚ୍ଚା । କଣ କରିବେ ବୈଜୟନ୍ତ ଆଉ ରାଜ୍ୟ ରାଜନୀତି ଉପରେ ଏହାର କଣ ପ୍ରଭାବ ରହିବ? ଦଳୀୟ ସୁପ୍ରିମୋ ଭାବେ ନବୀନ ଅତୀତରେ ଏମିତି ଅନେକ ବଡ ନିଷ୍ପତ୍ତି ନେଇଛନ୍ତି ଯାହାର ପ୍ରଭାବ ବିଜେଡି ଉପରେ ସେଭଳି ପଡିନାହିଁ । ତେଣୁ ବୈଜୟନ୍ତଙ୍କ କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତିର କୈାଣସି ପ୍ରଭାବ ରାଜନୈତିକ ସ୍ତରରେ ଦଳ ସାମ୍ନା କରିବା ନାହିଁ ବୋଲି ନେତା ମତ ରଖୁଛନ୍ତି ।

ତେବେ ବଡ କଥା ହେଉଛି, ଏବେ ରାଜ୍ୟ ରାଜନୀତି ବଦଳିଛି । ପଂଚାୟତ ନିର୍ବାଚନ ପରେ ରାଜ୍ୟରେ ନୁଆ ରାଜନୈତିକ ଶକ୍ତିର ଅଭ୍ୟୁଦୟ ହୋଇଛି । ତେଣୁ ବୈଜୟନ୍ତଙ୍କୁ ନିଲମ୍ବନର ସମୟ ଆଉ ଅତୀତରେ ନିଆଯାଇଥିବା ନିଷ୍ପତ୍ତି ଭିତରେ ରହିଛି ଅନେକ ଫରକ । ଯେତେବେଳେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ସେତେବେଳର ସ୍ଥିତି ଆଉ ବର୍ତ୍ତମାନର ସ୍ଥିତି ଭିତରେ ଅନେକ ଫରକ୍ ରହିଛି । ରାଜ୍ୟରେ ବଢୁଥିବା ବିଜେପିର ଶକ୍ତି ହୁଏତ ବିଜେଡି ପାଇଁ ଆହ୍ୱାନ ଆଣିପାରେ । ହେଲେ ବିଜେଡି ଏହାକୁ ଖଣ୍ଡନ କରୁଛି । ଦଳୀୟ ମୁଖପାତ୍ର ସମୀର ଦାଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଆଲୋଚନା ମାଧ୍ୟମରେ ହୋଇଛି । ଦଳ ଉପରେ ଏହାର କୈାଣସି ନକାରତ୍ମକ ପ୍ରଭାବ ପଡିବ ନାହିଁ ।

ତେବେ ଆଜିର ନିଷ୍ପତ୍ତି ପରେ ନବୀନ ପୁଣି ଥରେ ପ୍ରମାଣିତ କରିଛନ୍ତି, ଏବେବି ନିଷ୍ପତ୍ତି ନେବାରେ ସେ ମାହିର୍ । ଯେଉଁଭଳି ଭାବେ ବୈଜୟନ୍ତ ପଣ୍ଡାଙ୍କୁ ନବୀନ ଦଳରୁ ନିଲମ୍ବିତ କଲେ ତାହା ୨୦୦୦ ମସିହାର ତମାମ କଥାକୁ ମନେ ପକାଉଛି । ଯେତେବେଳେ ରାଜନୀତିରେ ନବାଗତ ନବୀନ ବିଜୟ ମହାପାତ୍ରଙ୍କୁ ଟିକେଟ ଦେଇ କାଟି ଦେଇଥିଲେ । ନବୀନଙ୍କ ସେହି ନିଷ୍ପତ୍ତି ଆଉ ଆଜିର ନିଷ୍ପତ୍ତି ଭିତରେ ୧୮ ବର୍ଷ ବିତିଛି । ହେଲେ ନବୀନ ଠିକ୍ ସେହିଭଳି ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଷ୍ପତ୍ତି ନେଇଛନ୍ତି ।

୨୦୦୦ ରୁ ୨୦୦୪ରେ ନବୀନଙ୍କ ଆକ୍ସନ ଅବତାର୍, ୨୦୦୪ ରୁ ୨୦୦୯ ଶିଳ୍ପାୟନର ସ୍ୱପ୍ନ, ୨୦୦୯ ରୁ ୨୦୧୪ ଅନେକ ଜନହିତକର ଯୋଜନା ଆଉ ୨୦୧୪ ପରେ କୁହାଗଲା ନବୀନ ଆଉ ଅଗଭଳି ନିଷ୍ପତ୍ତି ନେଇପାରୁନାହାନ୍ତି । କାରଣ ଦଳ ଆଉ ତାଙ୍କ ନିୟନ୍ତ୍ରଣରେ ନାହିଁ ବରଂ କିଛି ଯୁବନେତା ଓ ଅଫିସର୍ ଏବେ ଦଳ ଚଳାଉଛନ୍ତି । ହେଲେ ପଂଚାୟତ ନିର୍ବାଚନ ପରେ ନବୀନ ନିଜ ପୁରୁଣା ଅବତାର୍ ଦେଖାଇଛନ୍ତି । ପ୍ରଥମେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କଲେ, ଯୁବନେତାଙ୍କୁ ସଂଗଠନ କାମରେ ଲଗାଇଲେ । ଛାମୁଆ ସଂଗଠନକୁ ବଦଳାଇଦେଲେ । ସମସ୍ତଙ୍କୁ ସଂକେତ ଦେଲେ ଗାଁକୁ ଯାଇ କାମ କର । ଲୋକଙ୍କ ସଂ ସଂପର୍କ ରଖ । ଖାଲି ଏତିକି ନୁହେଁ ନିଜେ ଦଳୀୟ କର୍ମୀଙ୍କ ସହ ମିଶିଲେ, କାର୍ଯ୍ୟଶୈଳୀରେ ପରିବର୍ତ୍ତନ କଲେ । ସୋସିଆଲ ମିଡିଆରେ କ୍ରିୟାଶୀଳ ହେଲେ । ସେଲଫି ନେଲେ ଏବଂ ନିଜର ପୁରୁଣା ଅବତାରକୁ ଫେରିଥିଲେ କାର୍ଯ୍ୟାନୁଷ୍ଠାନ ନେଇ

 କାର୍ଯ୍ୟାନୁଷ୍ଠାନର ପର୍ବ ଆଗକୁ ବଢିଥିଲା ଯେତେବେଳେ ବୈଜୟନ୍ତଙ୍କୁ ଦଳୀୟ ସଂସଦୀୟ ମୁଖପାତ୍ର ପଦରୁ ଅବ୍ୟାହତି ଦିଆଗଲା । ଏତିକି ବେଳକୁ ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ସଂପର୍କ ବିଗିଡି ଯାଇଥିଲା । ଏହାପରେ ଭର୍ତ୍ତୃହରିଙ୍କୁ କାରଣ ଦର୍ଶାଅ ନୋଟିସ୍, ଦାମବାବୁଙ୍କ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ପ୍ରଥମେ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେବା ଆଉ ପରେ ଦଳୀୟ ଉପ-ସଭାପତି ପଦରୁ ହଟାଇବା ଭଳି ନିଷ୍ପତ୍ତି ନେଇ ନବୀନ ପ୍ରମାଣିତ କରିଥିଲେ, ଦଳରେ ଏବେ ବି ତାଙ୍କ କର୍ତ୍ତୃତ୍ୱ ରହୁଛି । ଆଉ ବୈଜୟନ୍ତଙ୍କ ନିଷ୍ପତ୍ତି ଏହାର ଆଉ ଏକ ଉଦାହରଣ । ଯେତେବେଳେ ଦଳ ସାମ୍ନାରେ ବିଜେପୁର ଉପ-ନିର୍ବାଚନର ଆହ୍ୱାନ ରହୁଛି ସେତେବେଳେ ନବୀନ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ୍ ।

ନବୀନଙ୍କ ଏହି ନିଷ୍ପତ୍ତି ସେହି ତମାମ ନେତାଙ୍କ ପାଇଁ ମଧ୍ୟ ଏକ ଲକ୍ଷ୍ମଣରେଖା ଟାଣିଦେଇଛି, ଯିଏ ଆଉ ଦଳୀୟ ଅନୁଶାସନକୁ ଉଲ୍ଲଂଘନ କରିବ ତା’ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛିଦିନ ଆଗରୁ ଏନଡିଟିଭିକୁ ଏକ ସାକ୍ଷାତକାରରେ ନବୀନ କହିଥିଲେ, ସେ ଏବେବି ଦଳକୁ ଚଳାଉଛନ୍ତି । ଏବେବି ସେ ଦଳକୁ ନିୟନ୍ତ୍ରଣ କରୁଛନ୍ତି । ଅନ୍ୟମାନଙ୍କ ଦ୍ୱାରା ଦଳ ପରିଚାଳନା ହେବାକୁ ସେ ସଂପୁର୍ଣ୍ଣ ଭାବେ ଖଣ୍ଡନ କରିଥିଲେ । ଆଉ ବୈଜୟନ୍ତଙ୍କ ସସପେଣ୍ଡ କରି ଏହା ସେ ପ୍ରମାଣିତ କରିଛନ୍ତି ।

ତେବେ ଏହାର ରାଜନୈତିକ ପ୍ରଭାବକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜୟ ମହାପାତ୍ର ଏକଦା ରାଜ୍ୟ ରାଜନୀତିର ସବୁଠାରୁ ପ୍ରଭାବଶାଳୀ ନେତା ଥିଲେ । ହେଲେ ନବୀନଙ୍କ କାର୍ଯ୍ୟନୁଷ୍ଠାନ ଏଭଳି ଥିଲା ଯେ ସେ ପାୱାର କରିଡରକୁ ଏଯାଏଁ ଫେରିନାହାନ୍ତି । ପ୍ୟାରୀମୋହନ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଥିଲେ । ସେ ହିଁ ଦଳର ସବୁ କଥା ବୁଝୁଥିଲେ । ତାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ସମସ୍ତେ ଭାବୁଥିଲେ, ଦଳ ଆଗାମୀ ଦିନରେ ଅସୁବିଧାରେ ପଡିପାରେ । ହେଲେ ୨୦୧୪ ନିର୍ବାଚନରେ ଦଳ ବିପୁଳ ସଫଳତା ପାଇଥିଲା । ସାରା ଦେଶରେ ମୋଦି ହାୱା ଚାଲୁଥିବା ବେଳେ ଓଡିଶା କିନ୍ତୁ ବ୍ରାଣ୍ଡ ନବୀନ ଚାଲିଥିଲା । ତେଣୁ ବୈଜୟନ୍ତଙ୍କୁ ସସପେଣ୍ଡର ପ୍ରଭାବ ତୁରନ୍ତ ଆକଳନ କରିବା ଅସମ୍ଭବ ।

ହଁ ଏହାରି ଭିତରେ କିନ୍ତୁ ରାଜ୍ୟରେ ଏକ ଶକ୍ତ ବିରୋଧୀ ଦଳ ତିଆରି ହୋଇଛି । ଯଦି ବୈଜୟନ୍ତ ପଣ୍ଡା ବିଜେଡି ଛାଡି ବିଜେପିକୁ ଯାଆନ୍ତି ତେବେ ଆଗାମୀ ଦିନରେ ବିଜୁ ଜନତା ଦଳ ଆହ୍ୱାନର ସାମ୍ନା କରିପାରେ । କାରଣ ମିଶନ ୧୨୦କୁ ନେଇ ଏଠି ବିଜେପି ନିଜ ଶକ୍ତି ସଂଗ୍ରହ କରୁଛି । ଆଉ ଏଭଳି ସ୍ଥଳେ ଚାରି ଚାରି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବୈଜୟନ୍ତଙ୍କ ରାଜନୈତିକ ପତିଆରା ମଧ୍ୟ ରହିଛି । ଯଦି ବିଜେପି ଆଉ ବୈଜୟନ୍ତ ଏକାଠି ହୁଅନ୍ତୁ ତେବେ ବିଜେଡି ପାଇଁ ଆହ୍ୱାନ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ, ଅତୀତର ଘଟଣାକୁ ଯଦି ଅନୁଶୀଳନ କରାଯାଏ ତେବେ ବିଜେଡି ଉପରେ ଏହାର ପ୍ରଭାବ କିଛି ପଡିନି । ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତର ନିଷ୍ପତ୍ତି ଉପରେ ।