ବଡ ଡାକ୍ତରଖାନାରେ ଅସୁରକ୍ଷିତ ରୋଗୀ ! ଏମକେସିଜିରେ ବିପଦସଙ୍କୁଳ ଅବସ୍ଥାରେ ଥିବା କୋଠାରେ ଚାଲିଛି ଚିକିତ୍ସା

35

କନକ ବ୍ୟୁରୋ : ବ୍ରହ୍ମପୁର ବଡ଼ମେଡ଼ିକାଲ ଦକ୍ଷିଣ ଓଡ଼ିଶାର ବୃହତ୍ତ୍ ମେଡ଼ିକାଲ । କିନ୍ତୁ ଏହି ମେଡ଼ିକାଲ ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାଏ । କେବେ ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ତ କେବେ ଡାକ୍ତରଖାନାରେ କଲ୍ୟାଣ ମଣ୍ଡପ । ଏବେ କିନ୍ତୁ ଡାକ୍ତରଖାନର ଆଉ ଏକ ବିପଦପୂର୍ଣ୍ଣ ଦୃଶ୍ୟ ସାମ୍ନାକୁ ଆସିଛି । ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଅସୁରକ୍ଷିତ କୋଠାରେ ଚାଲିଛି ଚିକିତ୍ସା ।

ବ୍ରହ୍ମପୁର ବଡ ମେଡ଼ିକାଲରର କୋଠା ବହୁ ପୁରାତନ । ଗତ ଫାଇଲିନ ପରେ ଏହାକୁ ଅସୁରକ୍ଷିତ ଘୋଷଣା କରିଥିଲେ କେନ୍ଦ୍ରୀୟ ଟିମ୍ । ଗତ ବର୍ଷ ଏହାକୁ ରାଜ୍ୟ ସରକାରଙ୍କ ପୁର୍ତ୍ତ ବିଭାଗ ସମ୍ପୁର୍ଣ୍ଣ ଅସୁରକ୍ଷିତ ବୋଲି ଘୋଷଣା କରିଛନ୍ତି । ତଥାପି ଏହି ଅସୁରକ୍ଷିତ କୋଠାରେ ଚାଲିଛି ରୋଗୀ ସେବା । କୋଠାର ବାହାର ପଟେ ଅନେକ ସ୍ଥାନରେ ସିମେଂଟ ପ୍ଲାଷ୍ଟର ଖସି ଗଲାଣି । ରୋଗୀ ଚିକିତ୍ସିତ ହେଉଥିବା ସ୍ଥାନକୁ ଛାତ ଫାଟି ଆଁ କରିଛି ।

ପୁରୁଣା କୋଠାକୁ ଅସୁରିକ୍ଷ ଘୋଷଣା କରାଯିବା ପରେ ଏମକେସିଜିରେ ୨୧୬ କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ୧୨ଟି କୋଠା । ହେଲେ ଏହା ରୋଗୀଙ୍କ ସେବାରେ ଲାଗୁନି କିନ୍ତୁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ କାମରେ ଆସୁଛି । କେତେକ କୋଠା ଭୂତକୋଠି ପାଲଟିଥିବା ବେଳେ କେତେକ କଲ୍ୟାଣ ମଣ୍ଡପ । ୧୨ଟି କୋଠା ମଧ୍ୟରୁ ୨ଟିକୁ ହଷ୍ଟେଲ ଓ ଗୋଟିଏକୁ ଶ୍ରେଣୀ ଗୃହଭାବେ ବ୍ୟବହାର କରାଯାଉଛି । ୨୦୧୬ ଜୁଲାଇରୁ ପୁରୁଣା କୋଠା ବିପଦ ସଂକୁଳ ବୋଲି ବିଭାଗୀୟ ଅଧିକାରୀ ଜଣାଇଥିବା ବେଳେ ଏନେଇ ମୁହଁ ଖୋଲିବାକୁ ନାରାଜ ମେଡ଼ିକାଲ ସୁପରିଟେଣ୍ଡ କିମ୍ବା ଅଧ୍ୟକ୍ଷ ।