ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ : ଶନିବାର ଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

95

କନକ ବ୍ୟୁରୋ : ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ରତ୍ନ ମଣ୍ଡପ ଛାଡି ସ୍ନାନ ମଣ୍ଡପରେ ସ୍ନାନ କରିବା ପରେ ଶ୍ରୀଜିଉ ଶ୍ରୀଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହାପରେ ପ୍ରଭୁ ଜ୍ୱରରେ ପୀଡିତ ହୋଇ ଅଣସର ଯିବାର ବିଦ୍ଧି ରହିଛି ।

ଶନିବାର ଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେବ । ଏହି ଅଣସର ଦର୍ଶନ ଆସନ୍ତା ୨୪ ତାରିଖ ଯାଏଁ ଚାଲିବ । ଅଣସର ଦର୍ଶନ ପାଇଁ ଅଲାରନାଥ ପୀଠକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ନଜରରେ ରଖି ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭୋର ୪ଟାରୁ ମନ୍ଦିର ଖୋଲା ଯିବା ପରେ ମଙ୍ଗଳ ଆଳତୀ, ଅବକାଶ, ଅଣସର ବେଶ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ବଲ୍ଲଭ ଉଠି ରୋଷହୋମ ନୀତି କରାଯିବ ।

ସକାଳ ସାଢେ ୫ଟାରୁ ମଧ୍ୟାହ୍ନ ସାଢେ ୧୨ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବ । ସାଢେ ୧୨ଟାରେ ସକାଳ ଧୂପ, ସାଢେ ଗୋଟାଏରେ ଦ୍ୱିପହର ଧୂପ ନୀତି ବଢି ୧୦ ମିନିଟ୍ ପାଇଁ ପହଡ ହେବ । ପୁଣି ମଧ୍ୟାହ୍ନ ଗୋଟାଏ ୪୦ରୁ ପୁଣି ଥରେ ସଂଧ୍ୟା ସାଢେ ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବ । ସଂଧ୍ୟା ସାଢେ ୬ଟା ପରେ ସଂଧ୍ୟା ଆଳତୀ, ମଇଲମ ନୀତି ବଢି ସାଢେ୯ା ଯାଏଁ ପୁଣି ଅଲାରନାଥଙ୍କ ସର୍ବସାଧାରଣ ଦର୍ଶନ ହେବ । ରାତି ୧୧ଟାରେ ବଡ ସିଂହାର ବେଶ ହୋଇ ବଡ ସିଂହାର ଧୂପ ଉଠିବା ପରେ ଅଲାରନାଥଙ୍କ ପହଡ ପଡିବ । ଏନେଇ ନୀତି ନିର୍ଘଂଟ ହୋଇଛି ।

ସୁରକ୍ଷିତ ଅଣସର ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁ ବ୍ୟାରିକେଡରେ ଯାଇ ପ୍ରଭୁଙ୍କ ଦର୍ଶନ କରିବେ । ଚଳିତ ବର୍ଷ ପାରମାଣିକ ଟିକଟ୍ ବ୍ୟବସ୍ଥା ନଥିବାରୁ ଦର୍ଶନ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା କହିଛନ୍ତି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –