ବିଜେଡିର ବ୍ରଜରାଜନଗର ଦ୍ୱନ୍ଦ୍ୱ । କିଶୋର ନା ଅନୁପ, କାହାକୁ ମିଳିବ ବିଜେଡି ଟିକେଟ? ନବ ଦାସଙ୍କୁ ଡାକି ସମାଧାନର ସୂତ୍ର ଖୋଜିଲା ବିଜେଡି ଅନ୍ଦର ମହଲ

466

କନକ ବ୍ୟୁରୋ : କିଏ ପାଇବ ବ୍ରଜରାଜନଗର ଟିକେଟ୍? ଏହି ଚର୍ଚା ଏଥିପାଇଁ ଉଠୁଛି ଯେ, ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାରେ ବ୍ରଜରାଜନଗର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି ବିଜେଡି ସୁପ୍ରିମୋ । ଆଜି ନବୀନ ନିବାସ ଆସି ଟିକେଟ୍ ଲବି କରିଛନ୍ତି ଅନୁପ ସାଏ । ସେପଟେ ଝାରୁସୁଗୁଡାରେ ନବ ଦାସଙ୍କୁ ଟିକେଟ୍ ମିଳିବା ପରେ ବ୍ରଜିରାଜନଗର ସିଟ୍ ଆଶାୟୀ ଅଛନ୍ତି କିଶୋର ମହାନ୍ତି ।

ବ୍ରଜରାଜନଗର ବିଧାନସଭା ଆସନ ନେଇ ବଡ ଦ୍ୱନ୍ଦ୍ୱ । ବରଗଡ ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୬ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି । କିନ୍ତୁ ବାକି ରହିଛି ବ୍ରଜରାଜ ନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା । ତେବେ ଏଥିରେ କାହିଁକି ହେଉଛି ବିଳମ୍ବ? ଏହାପଛର ବଡ କାରଣ ରହିଛି ।

କ୍ରମାଗତ ଭାବେ ଏହି ଆସନରୁ ଲଢି ଆସୁଥିବା ଅନୁପ ସାଏ ପୁଣି ଥରେ ବିଜେଡି ଟିକଟ ପାଇବାକୁ ଆଶା ରଖିଛନ୍ତି । କଂଗ୍ରେସ ଟିକଟରେ ତିନି ଥର ବିଧାୟକ ହୋଇ ସାରିଥିବା ଏହି ନେତା ଗତ ୨୦୧୪ରେ ବିଜେଡି ଟିକେଟରୁ ଲଢି ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଝାରସୁଗୁଡା ବିଧାନସଭା ଆସନ ପାଇଁ କଂଗ୍ରେସରୁ ଆସିଥିବା ନବ ଦାସଙ୍କୁ ଟିକଟ ମିଳିବା ପରେ ଏହି ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । କାରଣ ଏହି ଆସନରେ ବିଜେଡିର ପ୍ରାର୍ଥୀ ହେଉଥିବା କିଶୋର ମହାନ୍ତିଙ୍କୁ ବ୍ରଜରାଜନଗର ଆସନରୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।

ବ୍ରଜରାଜନଗର ଆସନ ପାଇଁ ଦୁଇ ବରିଷ୍ଠ ନେତା ଅନୁପ ସାଏ ଓ କିଶୋର ମହାନ୍ତି ଆଶାୟୀ ଅଛନ୍ତି । ଜଣେ ଟିକଟ ପାଇଲେ ଅନ୍ୟ ଜଣେ ଅସନ୍ତୁଷ୍ଟ ହେବା ସମ୍ଭାବନା ରହିଛି । ତେଣୁ ଏହି ଜଟିଳ ଅଙ୍କର ସମାଧାନ ପାଇଁ ଏବେ ବିଜେଡି ନବଙ୍କୁ ମତାମତ ଲୋଡିଛି । ଯେଉଁଥିପାଇଁ ଗତକାଲି ରାତିରେ ଡାକରା ପାଇ ପୁଣିଥରେ ନବୀନ ନିବାସରେ ପହଞ୍ଚିଥିଲେ ନବ । ଦଳ ଭିତରେ କୌଣସି ବିଭେଦ ନାହିଁ ଏବଂ ସୁପ୍ରିମୋଙ୍କ ନିଷ୍ପତିକୁ ସମ୍ମାନ ଦିଆଯିବ ବୋଲି ସେ କହିଛନ୍ତି । ଏସବୁ ଭିତରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ କାହାକୁ ବିଜେଡି ଟିକଟ ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରାର୍ଥୀ ନାମ ଘୋଷଣା ପରେ କେଉଁ ରୂପ ନେବ ସ୍ଥାନୀୟ ରାଜନୀତି, ତାହା ଉପରେ ରହିବ ନଜର ।