ଅସାଧୁ ଲୋକଙ୍କ କବଜାରେ କଲେଜର ଏକର ଏକର ଜମି । ଛାତ୍ରାବାସ ନାହିଁ, ଅସୁବିଧା ଭୋଗୁଛନ୍ତି ୩୭୦୦ରୁ ଅଧିକ ଛାତ୍ରଛାତ୍ରୀ ।

219

କନକ ବ୍ୟୁରୋ : ରାଜ୍ୟର ବହୁ ପୁରାତନ ବ୍ରହ୍ମପୁର ଆଇଟିଆଇ କଲେଜର ଜମି ହଡ଼ପ ଅଭିଯୋଗ । କିଛି ଅସାଧୁ ଲୋକଙ୍କ କବଜାରେ ରହିଛି ଆଇଟିଆଇ କଲେଜର ଏକର ଏକର ଜମି । ଫଳରେ କଲେଜର ହଷ୍ଟେଲ ସୁବିଧା ହୋଇପାରୁ ନାହିଁ । ତେଣୁ ହଇରାଣ ହେଉଛନ୍ତି କଲେଜର ୩୭୦୦ରୁ ଅଧିକ ଛାତ୍ରଛାତ୍ରୀ ।

ଅସାଧୁଙ୍କ କବଜାରେ କଲେଜ ଜମି । ଛାତ୍ରାବାସ ନାହିଁ, ଅସୁବିଧା ଭୋଗୁଛନ୍ତି ଛାତ୍ର । ରାଜ୍ୟର ବହୁ ପୁରାତନ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ଆଇଟିଆଇ କଲେଜର ଜମି ଏବେ ସଙ୍କଟରେ । ୧୯୫୭ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି କଲେଜର ୯ ଏକର ୭୩ ଡିସମିଲ୍ ଜମି ରହିଛି । ହେଲେ ଏଥିରୁ ଏକ ଏକର ଜମିକୁ କିଛି ଅସାଧୁ ବ୍ୟକ୍ତି ଜବର ଦଖଲ କରି ରଖିଛନ୍ତି । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ଯୋଗାଇ ପାରୁନାହାନ୍ତି ଆଇଟିଆଇ କଲେଜ କର୍ତ୍ତୃପକ୍ଷ ।

କଲେଜରେ ୩୭୦୦ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ମାତ୍ର ୭୦୦ ପିଲାଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ରହିଛି । ଅନ୍ୟ ଛାତ୍ରଛାତ୍ରୀମାନେ ବାହାରେ ରହି ପଢ଼ିବାକୁ ଆସୁଥିବା ବେଳ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ଅନ୍ୟପଟେ ଏନେଇ କଲେଜ କର୍ତ୍ତୃପକ୍ଷ ବ୍ରହ୍ମପୁର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ହେଁ ଏଯାଏଁ କୌଣସିି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଉ ଏହାରି ଭିତରେ ବଡ ପ୍ରଶ୍ନ ଉଠୁଛି ରାଜ୍ୟର ବହୁ ପୁରାତନ ଆଇଟିଆଇ କଲେଜର ଜମି କଲେଜ କର୍ତୃପକ୍ଷ ଫେରି ପାଇବେ ତ? ଜମି ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତ?