ନୂଆବର୍ଷରେ ପିକନିକ୍ କରିବାକୁ ଯାଉଛନ୍ତି କି? ପ୍ରାକୃତିକ ସୌନ୍ଦର୍ଯ୍ୟଭରା ‘ବାହ୍ମଣକୁଣ୍ଡ’ ଥରେ ଯା’ନ୍ତୁ

130

ଏବେ ପିକନିକ୍ ଋତୁ । ପୁରୁଣା ବର୍ଷ ବିଦାୟ ନେବ । ନୂଆ ବର୍ଷ ପ୍ରବେଶ କରିବା । ସବୁକିଛି ନୂଆ ନୂଆ ଏବେ । ଚାରିଆଡେ ନୂତନତ୍ୱର ସ୍ପର୍ଶ । ସମସ୍ତେ ମସଗୁଲ୍ ବିଭିନ୍ନ ବଣଭୋଜି ଓ ସ୍ଥାନ ଭ୍ରମଣରେ । କିଏ ରାଜ୍ୟ ଭିରେ ଥିବା ବିଭିନ୍ନ ଆକର୍ଷଣୀୟ ସ୍ଥାନ ଭ୍ରମଣରେ ସପରିବାର ଓ ସଂପର୍କୀୟଙ୍କ ସହ ଯାଉଛନ୍ତି ତ । ଆଉ କିଏ ଦେଶ ବାହାରକୁ ଯାଉଛନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ , ଯାହାକୁ ଆପଣଙ୍କର ପିକନିକ୍ ଭ୍ରମଣରେ ଏକ ଅଲଗା ଅନୁଭବ ଆଣି ଦେବ । ସେହି ସ୍ଥାନଟି ହେଉଛି ‘ବ୍ରାହ୍ମଣକୁଣ୍ଡ’ । ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋହି ବ୍ଲକରେ ଅବସ୍ଥିତ ଏହି ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନଟି । ଆପଣ ଚାହିଁଲେ ମୟୁରଭଂଜ ଜିଲ୍ଲାରେ ଥିବା ‘ବ୍ରାହ୍ମଣକୁଣ୍ଡ’ ବୁଲିଯାଇପାରିବେ ।

ମୟୁରଭଂଜ ଜିଲ୍ଲାର ଶିମିଳିପାଳ ପାଦ ଦେଶରେ ଥିବା ଏହି ଅଂଚଳଟି ଘଂଚ ଅରଣ୍ୟ ଦ୍ୱାରା ପରିବେଷ୍ଟିତ । ଆଉ ତା ସାଙ୍ଗକୁ ସୁଉଚ୍ଚ ପର୍ବତ ମନକୁ ମୋହିତ କରେ । ପରିବେଶର ସୌନ୍ଦର୍ଯ୍ୟ ମନକୁ ଖୁବ୍ ଆକୃଷ୍ଟ କରେ । ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ଅଂଚଳରେ ପ୍ରାକୃତିକ ପରିବେଶପୂର୍ଣ୍ଣ ସୁନ୍ଦର ସୁନ୍ଦର ସ୍ଥାନ ରହିଛି । ସେଥିମଧ୍ୟରୁ ‘ବ୍ରାହ୍ମଣକୁଣ୍ଡ ’ ଅନ୍ୟତମ । ଯେଉଁଠି ପ୍ରକୃତିର ଶୋଭା ଖୁବ୍ ଆକର୍ଷଣୀୟ ଓ ମନୋରମ୍ ।

ବ୍ରାହ୍ମଣକୁଣ୍ଡ କେମିତି ଯିବେ –
ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ଚାକିଡି ଗ୍ରାମପଂଚାୟତର ଘଂଚ ଜଙ୍ଗଲ-ପାହାଡ ଘେରା ଅଂଚଳରେ ଆବସ୍ଥିତ ଏହି ସ୍ଥାନ । ପାହାଡିଆ ରାସ୍ତାର ଅଙ୍କାବଙ୍କା ରାସ୍ତା ଦେଇ ଗଲେ ପଡିବ ‘ବ୍ରାହ୍ମଣକୁଣ୍ଡ’ । ବାଙ୍ଗିରିପୋହି ଦେଇ ୪୯ ନମ୍ବର ଜାତୀୟ ରାଜପଥରେ ଅବସ୍ଥିତ ଥିବାରୁ ଏଠାକୁ ସବୁ ସ୍ଥାନରୁ ସର୍ବଦା ଯାତ୍ରୀବାହୀ ଯାନର ସୁବିଧା ରହିଛି । ରାଜ୍ୟର ରାଜ୍ୟଧାନୀ ଭୁବନେଶ୍ୱର ଠାରୁ ଏହି ସ୍ଥାନର ଦୂରତା ୨୯୦ କିମି । ଏହା ବ୍ୟତୀତ ଆପଣ ଭୁବନେଶ୍ୱର- ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନ୍ ଯୋଗେ ସିଧାସଳଖ ଆସି ବାଙ୍ଗିରିପୋଷିରେ ପହଁଚିପାରିବେ । ସେଠାରୁ ଅଟୋ ବା ଟାକ୍ସି ଦ୍ୱାରା ବ୍ରାହ୍ମଣକୁଣ୍ଡକୁ ଯାଇପାରିବେ ।

ପାହାଡି ଝରଣାର ଜଳରାଶି ଉପରୁ ପଡି ତଳେ ଜମା ହୋଇ ସୃଷ୍ଟି କରୁଛି ଏକ ବିରାଟକାୟ ପାଣିକୁଣ୍ଡ । ଆଉ ସେହି ପାଣିକୁଣ୍ଡରେ କାହିଁ କେତେ କେତେ ବର୍ଷ ଧରି ସଂରକ୍ଷିତ ହୋଇ ରହିଛନ୍ତି ହଜାର ହଜାର ମାଛ । ଚାରିଆଡେ ବୃହଦାକାୟ ପଥର ମଧ୍ୟରେ ଝରଣା ଓ ନୀଳ ରଙ୍ଗର ଶୀତଳ ଜଳରାଶି ମଧ୍ୟରେ ବଡ ମାଛମାନଙ୍କର ପହଁରୁଥିବା ଦୃଶ୍ୟ ଲୋକଙ୍କର ମନରେ ଆନନ୍ଦ ଭରିଥାଏ । କୁଣ୍ଡ ନିକଟରେ ପାହାଡ ମଧ୍ୟରେ ରହିଛି ଆରାଧ୍ୟ ଦେବାଦେବୀଙ୍କର ଏକ ପୂଜା ସ୍ଥଳୀ ।

ସେଠାରେ ରହିବାର ସୁବିଧା –
ରାତ୍ରୀ ଯାପନ ପାଇଁ ଖଇରୀ ରିସୋର୍ଟ ସହ ଶିମିଳିପାଳ ରିସୋର୍ଟ ନାମକ ଅନ୍ୟ ଏକ ଲଜିଂ ବ୍ୟବସ୍ଥା ରହିଛି । ବର୍ଷର ଏହି ସେପ୍ଟେମ୍ବର ମାସଠୁ ସେଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଏଣୁ ସେଠାରେ ରହିବାର ସୁବିଧା ମଧ୍ୟ ରହିଛି ।