ବଦଳିଲା ବ୍ରିଜର ନକ୍ସା : ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଗୋଷାଣି ନୂଆ ଗାଁ ଓଭରବ୍ରିଜ୍

36

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ମରଣ ଯନ୍ତା ପାଲଟିଛି ବ୍ରହ୍ମପୁର ଗୋଷାଣି ନୂଆ ଗାଁ ଓଭର ବ୍ରିଜ୍ । ବ୍ରିଜ ନିର୍ମାଣ ପାଇଁ ତିଆରି ହୋଇଥିବା ନକ୍ସାକୁ ପରିବର୍ତନ କରି ବିପରୀତ ଦିଗକୁ ବ୍ରିଜକୁ ଯୋଡା ଯାଇଥିବା ଅଭିଯୋଗ ହୋଇଛି । ଫଳରେ ଏହି ବ୍ରିଜ ଉପରେ ଯିବା ଲାଗି ସୁରକ୍ଷିତ ମଣୁ ନାହାଁନ୍ତି ଲୋକେ । ଏହି ବ୍ରିଜ ଉପରେ ଏବେ ଯିବାକୁ ଲୋକେ ଭୟ କରୁଛନ୍ତି । କେତେବେଳେ ଯେ ଏଠାରେ ଦୁର୍ଘଟଣା ଘଟି କିଛି ଯେ ଅଘଟଣ ଘଟିବ କହିହେବନି । ଗତ ୨ ବର୍ଷ ମଧ୍ୟରେ ଏଠାରେ ୨୦୦ରୁ ଅଧିକ ଦୁର୍ଘଟଣା ଘଟି ୫୦ରୁ ଅଧିକ ଜୀବନ ଚାଲିଗଲାଣି।

ରେଲୱେ ଫାଟକ ଥିବା ହେତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟୟରେ ଏଠାରେ  ବ୍ରିଜ୍ ନିର୍ମାଣ କରାଯାଇଥିଲା । କିନ୍ତୁ କିଛି ରାଜ ନେତାଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ବ୍ରିଜର ନକ୍ସାରେ ପରିବର୍ତନ କରାଯାଇ ବିପରୀତ ଦିଗକୁ ବ୍ରିଜଟି ଯୋଡାଯାଇଥିବା ଅଭିଯୋଗ ହୋଇଛି । ଏବେ ୫୯ ନଂ ଜାତୀୟ ରାଜପଥରେ ବିପରୀତ ଦିଗରେ ଲୋକମାନେ ଯାତାୟାତ କରୁଥିବା ବେଳେ ଘଟଣାର ଭିଜଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

୧୮ କୋଟି ଟଙ୍କା ବ୍ୟୟରେ ୫ ବର୍ଷରେ ନିର୍ମାଣ ହୋଇଥିଲା ଏହି ଓଭର ବ୍ରିଜ । ବାରମ୍ବାର ଦୁର୍ଘଟଣା ପରେ ପ୍ରତିବାଦ ହେବାରୁ ଏବେ ପୁଣି ୫ କୋଟି ବ୍ୟୟ ଅଟକଳରେ ଏହାର ଗତିପଥ ବଦଳାଯିବାକୁ ସ୍ଥିର ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥ ଯୋଗୁଁ ସରକାରଙ୍କ ରାଜ କୋଷରୁ ଖର୍ଚ ହୋଉଥିବା ଟଙ୍କାକୁ ଅପବ୍ୟବହାର କରାଯାଇଛି ।