ରାଉରକେଲାରେ ବ୍ରାହ୍ମଣୀର ଦ୍ୱିତୀୟ ସେତୁର କାମ ଆରମ୍ଭ ! ଯୁଦ୍ଧକାଳୀନ ଭିତ୍ତିରେ ଚାଲିବ ବ୍ରିଜ କାମ

ବେଦବ୍ୟାସ ଦଣ୍ଡିଆପାଲି ପଟୁ ଜମି ଅଧିଗ୍ରହଣ ସହ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମ ଆରମ୍ଭ ହୋଇଛି

293

କନକ ବ୍ୟୁରୋ : ବେଦବ୍ୟାସ ଦଣ୍ଡିଆପାଲି ପଟୁ ଜମି ଅଧିଗ୍ରହଣ ସହ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମ ଆରମ୍ଭ ହୋଇଛି। ପାନପୋଷ ଉପଜିଲ୍ଳାପାଳ ବିଶ୍ବଜିତ୍ ମହାପାତ୍ର, ଲାଠିକଟା ତହସିଲଦାର ଓ ଏନ୍ଏଚ୍ଆଇର ପିଡି ସୌରଭ ଚୌରାସିଆଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ଶେଷ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବସ୍ତିବାସୀମାନେ ଜିଲ୍ଲା ପ୍ରଶାସନକୁ ସହାୟତା କରିଥିଲେ। ବସ୍ତିବାସୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ପାନପୋଷ ଏସଡିପିଓ ତଥା ଆଇପିଏସ୍ ଅଧିକାରୀ ପଦ୍ମିନୀ ସାହୁଙ୍କ ନେତୃତ୍ବରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲା।

 

ଆଜିଠାରୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାମ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ପୂର୍ବରୁ ଦଣ୍ଡିଆପାଲି ବସ୍ତିବାସୀଙ୍କ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ଓ ନିର୍ମାଣ କାମରେ ବାଧା ସୃଷ୍ଟି ହୋଇଥିଲା। ବାଧ୍ୟ ହୋଇ ଜେକେସି କମ୍ପାନୀ ଅଧାରୁ ଫାଇଲିଂ କାମ ବନ୍ଦ କରି ଦେଇଥିଲେ। ଏବେ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ବରୁ ଜବରଦଖଲ ସମସ୍ୟା ହଟି ଥିବାରୁ ନିର୍ମାଣର କାମରେ କୌଣସି ବାଧା ସୃଷ୍ଟି ହେବନାହିଁ ବୋଲି ଏନ୍ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି। ତେବେ ଅନେକ ଦିନ ହେଲାଣି ଦ୍ୱିତୀୟ ସେତୁର କାମକୁ ନେଇ ସାରା ରାଜ୍ୟର ରାଜନୀତି ସରଗରମ ହୋଇଥିଲା । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ମଧ୍ୟ କାମର ଅଗ୍ରଗତି ହୋଇ ପାରିନଥିଲା । ତେଣୁ ରାଉରକେଲାବାସୀଙ୍କ ଦୀର୍ଘ ପ୍ରତୀକ୍ଷା ପରେ ଗତକାଲିଠାରୁ କାମ ଆରମ୍ଭ ହୋଇଥିବାରୁ ଲୋକମାନେ ଖସୀ ଜାହିର କରିଥିବା ସୂଚନା ମିଳିଛି ।