ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ:ନିଲମ୍ବନ ହଟାଇବାକୁ ଜୟକୃଷ୍ଣ ଦାସମହାପାତ୍ରଙ୍କ ଦାବି

20

ପୁରୀ ବ୍ୟୁରୋ , କନକ ନ୍ୟୁଜ୍: ନିଲମ୍ବନ ପ୍ରତ୍ୟାହାର ନହେଲେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ଦଇତାପତି ସେବାୟତ ଜୟକୃଷ୍ଣ ଦାସମହାପାତ୍ର । ନବକଳେବର ବ୍ରହ୍ମ ବିଭ୍ରାଟକୁ ନେଇ ୨୦୧୫ ଜୁନ୍ ୨୪ରେ ଦୁଇ ଦଇତାପତି ସେବାୟତଙ୍କୁ ନିଲମ୍ବିତ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ବରିଷ୍ଠ ଦଇତାପତି ସେବାୟତ କାଶୀନାଥ ଦାସମହାପାତ୍ର ଓ ତାଙ୍କ ପୁଅ ଜୟକୃଷ୍ଣ ଦାସମହାପାତ୍ରଙ୍କୁ ବିଭ୍ରାଟ ପାଇଁ ଦୋଷୀ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏକଚାଟିଆ ନିଷ୍ପତି ବୋଲି ଅଭିଯୋଗ କରିଛନ୍ତି ଜୟକୃଷ୍ଣ । ଦଇତାପତି ନିଯୋଗ ଏମାନଙ୍କ ଦୋଷ ନଥିବା ଚିଠି ଲେଖି ଜଣାଇଥିଲେ ମଧ୍ୟ କାହିଁକି ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଗଲା ବୋଲି ପୁଣି ପ୍ରଶ୍ନ କରିଛନ୍ତି । ବ୍ରହ୍ମ ବିଭ୍ରାଟକୁ ବର୍ଷେ ପୂରିବାକୁ ବସିଥିଲେ ବି ତଦନ୍ତ ରିପୋର୍ଟ ପ୍ରକାଶ ପାଇନଥିବା ସେ କହିଛନ୍ତି । ତେଣୁ ତୁରନ୍ତ ନିଲମ୍ବନ ନିଷ୍ପତିର ପୁନର୍ବିଚାର କରିବାକୁ ସେ ଚିଠି ଲେଖିବା ସହ ଏହାର କପି ମୁଖ୍ୟ ଶାସନ ସଚିବ, ଆଇନ ସଚିବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜଙ୍କୁ ପଠାଇ ଥିବା ସୂଚନା ଦେଇଛନ୍ତି ।