ଦିନେ ଥିଲେ ସୁଷମା ସ୍ୱରାଜଙ୍କ ଡ୍ରାଇଭର, ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଦେଉଛନ୍ତି ଟକ୍କର ।

54

କେବେ ସୁଷମା ସ୍ୱରାଜଙ୍କର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଏବେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଓହ୍ଲାଇଛନ୍ତି ନିର୍ବାଚନୀ ମୈଦାନକୁ । କଥାଟା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ସତ । କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏଭଳି ଘଟଣା । କର୍ଣ୍ଣାଟକର ପାୱାରଫୁଲ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋୟା ଶ୍ରୀରାମୁଲୁ । ତେବେ ବୋୟା ଶ୍ରୀରାମୁଲୁ କିଏ? କଣ ତାଙ୍କର ପରିଚୟ ଯିଏ ଜଣେ ପାୱରଫୁଲ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।

କର୍ଣ୍ଣାଟକର ୪୬ ବର୍ଷୀୟ ବୋରା ଶ୍ରୀରାମୁଲୁ । ୧୯୯୯ ମସିହା ଲୋକସଭା ନିର୍ବାଚନ ପ୍ରଚାର ସମୟରେ ବଲ୍ଲୋରୀ ନିର୍ବାଚନମଣ୍ଡଳୀରେ ସୁଷମା ସ୍ୱରାଜ ପ୍ରଚାର କରୁଥିବା ବେଳେ ଶ୍ରୀରାମୁଲୁଙ୍କୁ ଡ୍ରାଇଭିଂ କରୁଥିବାର ଦେଖାଯାଇଥିଲା । ଏହି ନିର୍ବାଚନ ସମୟରେ ସୁଷମାଙ୍କ ବିରୋଧରେ ତକ୍ରାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିର୍ବାଚନ ଲଢୁଥିଲେ । କିନ୍ତୁ ସେତେବେଳେ ସୁଷମାଙ୍କ ଗାଡି ଚଳାଉଥିବା ବୋରା ଶ୍ରୀରାମୁଲୁ ଏବେ କର୍ଣ୍ଣାଟକର ଏକ ବଡ ନେତା ଭାବେ ଉଭା ହୋଇଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ସିଦ୍ଦାରମେୟାଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ।

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଶ୍ରୀରାମୁଲୁଙ୍କର ପାର୍ଟିରେ ବେଶ କାଟତି ରହିଛି । ଯାହାର ଝଲକ ଏହି ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଠି ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବିଏସ ୟେଦୁରପ୍ପାଙ୍କ ପୁଅ ଓ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଟିକେଟ କାଟି ଦିଆଯାଉଛି । ସେଭଳି ସ୍ଥଳେ ଶ୍ରୀରାମୁଲୁଙ୍କ ପରିବାରର ତିନି ସଦସ୍ୟ ଓ ତାଙ୍କ ସାଙ୍ଗ ଏବଂ ଜନାର୍ଦ୍ଦନ ରେଡ୍ଡିଙ୍କର ପରିବାରର ତିନି ସଦସ୍ୟଙ୍କୁ ଟିକେଟ ଦିଆଯାଇଛି । ଯାହା ବିଜେପି ପାର୍ଟିରେ ଶ୍ରୀରାମୁଲୁଙ୍କ ଦବଦବାକୁ ଜାହିର କରୁଛି ।

ଶ୍ରୀରାମୁଲୁ ଅନୁସୂଚିତ ଜନଜାତି ସଂପ୍ରଦାୟରୁ ଆସିଛନ୍ତି । କିନ୍ତୁ ଲୋକମାନଙ୍କ ସହ ବେଶ ସହଜରେ ମିଶି ପାରୁଥିବାରୁ କର୍ଣ୍ଣାଟକ ଲୋକ ତାଙ୍କୁ ବେଶ ପସନ୍ଦ କରୁଛନ୍ତି । ଶ୍ରୀରାମୁଲୁ ଶିକାରୀ ସଂପ୍ରଦାୟରୁ ଆସିଛନ୍ତି । ଏହି ସଂପ୍ରଦାୟକୁ କର୍ଣ୍ଣାଟକରେବେଡା, ଜେଡା ବା ବାଲ୍ମକୀ ବୋଲି କହିଥାନ୍ତି । ପୂରା ରାଜ୍ୟରେ ଏହି ସଂପ୍ରଦାୟର ଏକ ବଡ ଭୋଟ ବ୍ୟାଙ୍କ ରହିଛି । ଶ୍ରରାମୁଲୁ ପ୍ରଥମ ଥର ପାଇଁ ବଲାରୀ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ତେବେ ଚଳିତ ନିର୍ବାଚନରେ ବାଦାମୀ ସିଟରୁ ନିର୍ବାଚନ ଲଢିବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସିଦ୍ଦରମେୟା । କିନ୍ତୁ ତାଙ୍କୁ ଚେକ୍ ଦେବାକୁ ଶ୍ରୀରାମୁଲୁଙ୍କୁ ସେହି ଆସନରୁ ପ୍ରାର୍ଥୀ କରିଛି ବିଜେପି । ରାଜ୍ୟରେ ଦଳିତ ଭୋଟକୁ ନଜରରେ ରଖି କଂଗ୍ରେସ ମଲ୍ଲିକାର୍ଜୁନେ ଖଡଗେଙ୍କୁ ସାମ୍ନାକୁ ଆଣିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କଂଗ୍ରେସକୁ ମାତ ଦେବା ପାଇଁ ବିଜେପି ଶ୍ରୀରାମୁଲୁଙ୍କୁ ସାମ୍ନାକୁ ଆଣିଛି ।