୨୦ ଫୁଟର କୁମ୍ଭୀର ମୁହଁରୁ ଫେରିଆସିଲେ ଦାଦା, କେମିତି ବଞ୍ଚାଇଦେଲେ ପୁତୁରା ! ରାଜନଗରରୁ ପୁଣି ଆସିଲା ୧୨ ବର୍ଷର ସାହାସୀ ବାଳକର କାହାଣୀ

61

କନକ ବ୍ୟୁରୋ : ୧୨ ବର୍ଷ ବାଳକର ସାହସ ଯୋଗୁଁ କୁମ୍ଭୀର ମୁହଁରୁ ବଂଚିଗଲା ଜୀବନ । ୨୦ ଫୁଟର କୁମ୍ଭୀର ମୁହଁରୁ ଦାଦାଙ୍କୁ ବଂଚାଇଦେଲା ପୁତୁରା । କେନ୍ଦ୍ରାପଡା ରାଜନଗରରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ୧୨ ବର୍ଷ ବାଳକର ସାହସିକତା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ହଂସୁଆ ନଦୀର ଅକାତ ପାଣି । ପାଦେ ପାଦେ କୁମ୍ଭୀର ଆତଙ୍କ । ଆଉ ସେହି ଆତଙ୍କ ଭିତରେ ୧୨ ବର୍ଷର ସିତୁ ଦେଖାଇଛି ସାହସ । କୁମ୍ଭୀର ମୁହଁରୁ ଛଡାଇ ଆଣିଛି ତାର ଦାଦାକୁ । ଅନ୍ଧାର ରାତିରେ ଜୀବନକୁ ବାଜି ଲଗାଇ ପାଣିରେ କୁମ୍ଭୀର ସହ ଲଢେଇ କରିଛି । ଫଳରେ ବଂଚିଯାଇଛି ଗୋଟିଏ ଜୀବନ ।

ରାତି ପ୍ରାୟ ୮ଟା । ଶୌଚ ପାଇଁ ହଂସୁଆ ନଦୀ ପାଖକୁ ଦାଦାଙ୍କ ସହ ଆସିଥିଲେ ସିତୁ । ଅନ୍ଧାର ରାତିରେ ହଠାତ୍ ୨୦ ଫୁଟର କୁମ୍ଭୀର, ଦାଦାଙ୍କୁ ଟାଣି ନେଇଥିଲା ପାଣି ଭିତରକୁ । ସଙ୍ଗେ ସଙ୍ଗେ ହାତରେ ଧରିଥିବା ଟର୍ଚ୍ଚକୁ କୁମ୍ଭୀର ଆଖିକୁ ପକାଇଥିଲା ସିତୁ । ପରେ ଟର୍ଚ୍ଚକୁ କୁମ୍ଭୀର ମୁହଁକୁ ଜୋରରେ ଫୋପାଡିଥିଲା । ମୁହଁରେ ଆଘାତ ଲାଗିବା ପରେ ଦାଦାଙ୍କୁ ଛାଡିଦେଇଥିଲା କୁମ୍ଭୀର । ପରେ ଦାଦାଙ୍କ ହାତ ଧରି ପାଣି ଭିତରୁ ଟାଣି ଆଣିଥିଲା ସିତୁ ।

ସିତୁ ଖାଲି କୁମ୍ଭୀର ମୁହଁରୁ ଗୋଟିଏ ଜୀବନ ବଞ୍ଚାଇନି ବରଂ ଦେଖାଇଦେଇଛି ସାହାସ ଥିଲେ ସବୁକିଛି ସମ୍ଭବ । ୧୨ ବର୍ଷର ବାଳକ ସିତୁର ଏଭଳି ସାହାସକୁ ନେଇ ଏବେ ଚାରିଆଡେ ଚର୍ଚା । ଗତ କିଛି ଦିନ ପୂର୍ବେ ସେହି ରାଜନଗର ଅଞ୍ଚଳରୁ କୁମ୍ଭୀର ଆକ୍ରମଣରୁ ଭଉଣୀକୁ ରକ୍ଷା କରି ମମତା ନାମକ କୁନି ଝିଅ ରାଷ୍ଟ୍ରପତିଙ୍କ ଠାରୁ ସାହସିକତା ପୁରଷ୍କାର ପାଇଥିଲେ ।