କାହିଁକି ଛଳନା କଲ ? ଦଗାଦିଆ ପ୍ରେମିକକୁ ପ୍ରେମିକାର ପ୍ରଶ୍ନ, ବିବାହ ପୂର୍ବରୁ ଭାଙ୍ଗିଗଲା ସ୍ୱପ୍ନ

50

କନକ ବ୍ୟୁରୋ : ଦିନ କେଇଟା ପରେ ହାତ ଗଣ୍ଠି ପଡିଥାନ୍ତି । ପ୍ରେମିକ ଦେଖାଇଥିବା ସୁନ୍ଦର ସ୍ୱପ୍ନ ବାସ୍ତବ ରୂପ ନେଇଥାନ୍ତି । ଏଥିପାଇଁ ଦିନ ସ୍ଥିର ହୋଇସାରିଥିଲା । ନଭେମ୍ବର ୧୪ରେ ନିର୍ବନ୍ଧ ସରିବା ପରେ ନିମନ୍ତ୍ରଣ କାର୍ଡ ଛପା ହୋଇସାରିଛି । ହେଲେ ବିବାହର ମାତ୍ର ଦିନ କେଇଟା ଆଗରୁ ବିବାହ ପ୍ରସ୍ତାବକୁ ଫାଙ୍କି ଦେଇଛି ଦଗାଦିଆ ପ୍ରେମିକ । ଯୌତୁକ ଲୋଭୀ ପ୍ରେମିକ, ବିବାହ ପ୍ରସ୍ତାବକୁ ଖଣ୍ଡନ କରିବା ପାଇଁ ଯୁବତୀଙ୍କ ଚରିତ୍ରକୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡରୁ ଆସିଛି ଏଭଳି ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣାର ଆଉ ଏକ କାହାଣୀ ।

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣାର ଆଉ ଏକ କାହାଣୀ । ନିର୍ବନ୍ଧ ପରେ ବିବାହ ପ୍ରସ୍ତାବକୁ ଭାଙ୍ଗିଦେଲା ଧୋକାବାଜ୍ ପ୍ରେମିକ । ବିବାହ ପ୍ରସ୍ତାବ ଆସିବା ପରେ ଉଭୟ ପରିବାରର ସମ୍ମତିରେ ପୁଅ-ଝିଅଙ୍କ ସମ୍ପର୍କ ଆଗକୁ ବଢିଥିଲା । ଇନ୍ଦୋରରେ ଯୁବତୀଙ୍କୁ ଭେଟି ମୁଦି ପିନ୍ଧାଇ, ସାରା ଜୀବନ ସାଥୀ କରିବାକୁ କଥା ଦେଇଥିଲା ଯୁବକ । ଆଉ ବିବାହ ତାରିଖ ସ୍ଥିର ହେବା ପରେ ବଦଳି ଯାଇଛି ସବୁ କିଛି । ଯୁବତୀଙ୍କ ଚରିତ୍ରକୁ ଆକ୍ଷେପ କରି ବିବାହ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲା ଆମେରିକାର ସଫ୍ଟୱେର୍ କମ୍ପାନୀରେ କାମ କରୁଥିବା ସୁନ୍ଦରଗଡ ଡେଙ୍ଗୀଭାଡି ଅଂଚଳର ଶିବ ଶଙ୍କର ପଟେଲଙ୍କ ପୁଅ ମାନସ ପଟେଲ । ଏଭଳି ପ୍ରତାରଣାର ଶିକାର ହୋଇଛନ୍ତି ସେହି ସୁନ୍ଦରଗଡ ଅଂଚଳର ଜଣେ ଯୁବତୀ ।

ବିବାହରେ ଯୌତୁକ ବାବଦକୁ ୧୫ ଲକ୍ଷ ଟଙ୍କା ଓ ଗୋଟିଏ କାର୍ ଦାବି କରିଥିଲେ ମାନସଙ୍କ ବାପା । ପୀଡିତାଙ୍କ ପରିବାର ଏହା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିବା ପୀଡିତାଙ୍କ ବାପା ଅଭିଯୋଗ କରିଛନ୍ତି । ଏନେଇ ପୀଡିତା ସୁନ୍ଦରଗଡ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁନ୍ଦରଗଡ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିିଛି । ପ୍ରେମିକାର ସୁନେଲି ଆଖିରେ ବୈବାହିକ ଜୀବନର ସୁନ୍ଦର ସ୍ୱପ୍ନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଠକି ଦେଇଛି ଦଗାଦିଆ ପ୍ରେମିକ । ଯେଉଁ ଆଖି ଯାହାକୁ ନେଇ ସ୍ୱପ୍ନ ରାଇଜରେ ବୁଡି ରହିଥିଲା ସେ ଆଜି ପ୍ରଶ୍ନ କରୁଛି, କାହିକିଁ ଛଳନା କଲ ।