୨୪ ବର୍ଷ ପରେ ବି ପୂର୍ଣ୍ଣାଙ୍ଗ ଜିଲ୍ଲାର ମାନ୍ୟତା ପାଇପାରିନାହିଁ ବୌଦ୍ଧ : ପ୍ରତିଟି କ୍ଷେତ୍ରରେ ବହୁ ପଛରେ ରହିଛି ଏହି ଜିଲ୍ଲା

40

କନକ ବ୍ୟୁରୋ : ୧୯୯୪ ମସିହା ଜାନୁୟାରୀ ୨ ତାରିଖରେ ଅବିଭକ୍ତ ଫୁଲବାଣୀ ଜିଲ୍ଲାକୁ ୨ଭାଗ କରି ବୌଦ୍ଧ ଜିଲ୍ଲା ଗଠନ ହୋଇଥିବା ବେଳେ ୩ ଗୋଟି ବ୍ଲକ ଏବଂ ଗୋଟିଏ ସବଡିଭିଜନରେ ହିଁ ସୀମିତ ରହିଛି । ବ୍ଲକ ସଂଖ୍ୟା ବଢାଇବା ପାଇଁ ଜିଲ୍ଲାବାସୀ ବାରମ୍ବାର ଦାବି କରିଆସୁଛନ୍ତି । ହେଲେ ନା ଗଠିତ ହୋଇଛି ନୂଆ ବ୍ଲକ ଟିଏ ନା ଗଠିତ ହୋଇଛି ଆଉ ଏକ ସବଡିଭିଜନ୍ ।

୨୪ବର୍ଷରେ ପ୍ରଦାର୍ପଣ କରିଥିବା ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଅନେକ କାର୍ଯ୍ୟାଳୟ ଖୋଲି ପାରି ନଥିବା ବେଳେ ଜିଲ୍ଲାର ଗୋଟିଏ ବି କଲେଜ ସରକାରୀ ମାନ୍ୟତା ପାଇପାରିନାହିଁ । ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ଭୁଷୁଡି ପଡିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ସେପଟେ ଅନେକ ଅଂଚଳରେ ଏବେ ବି ନାଳ ପାଣି ଉପରେ ନିର୍ଭର କରୁଛନ୍ତି ଲୋକେ ।

ଜିଲ୍ଲାର ୫୨୦ ଖଣ୍ଡ ଗାଁକୁ ଏଯାଏଁ ବିଜୁଳି ଆଲୁଅ ପହଁଚି ପାରିନାହିଁ । ଲୋକଙ୍କ ଏକମାତ୍ର ଭରଷା ହେଉଛି ଡିବି ଓ ଲଣ୍ଠନ । ପଶ୍ଚିମ ଓଡିଶାର ଲାଇଫ୍ ଲାଇନ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗିର ରେଲୱେ ଲାଇନ ବୌଦ୍ଧ ଦେଇ ଯାଉଥିବାବେଳେ ଏଯାଏଁ ଜିଲ୍ଲାରେ କୌଣସି କାମ ଆରମ୍ଭ ହେବାର ତ ଦୂରର କଥା ଗୋଟେ ଇଂଚ ଜମି ର ଅଧିଗ୍ରହଣ ମଧ୍ୟ ହୋଇପାରିନାହିଁ । ସେପଟେ ଜିଲ୍ଲାପାଳ କହୁଛନ୍ତି ଜିଲ୍ଲାରେ ଅନେକ ସାମଗ୍ରୀକ ବିକାଶ ହୋଇଛି ଆହୁରୀ ଅନେକ କାର୍ଯ୍ୟ ଖସଡା ହାତକୁ ନିଆଯାଇଛି ସେଗୁଡିକ ସବୁ ତ୍ୱରାନ୍ୱିତ କରାଯିବ ।

ଜିଲ୍ଲା ମାନ୍ୟତା ପାଇବାର ୨୩ ବର୍ଷ ଭିତରେ ୪ ଟି ସାଧାରଣ ନିର୍ବାଚନ ସରିଛି ୨ ଗୋଟି ବିଧାନ ସଭା ମଣ୍ଡଳୀରେ ଦୁଇ ଦୁଇ ଜଣ ବିଧାୟକ ନିର୍ବାଚିତ ହୋଇ ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ବି ଅଳଙ୍କୃତ ହୋଇଛନ୍ତି । ଜିଲ୍ଲାର ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ବି ଆସୁଛି ତଥାପି ଜିଲ୍ଲାର ଉନ୍ନତି ହୋଇପାରିନାହିଁ ।