ମିଳୁନି ପ୍ରୋତ୍ସାହନ, ମିଳୁନି ପାରିଶ୍ରମିକ । ସରକାରୀ ପ୍ରୋତ୍ସାହନ ଅଭାବରୁ ଦିନ ମଜୁରିଆ ସାଜିଲେ ବୁଣାକାର

ଲୁପ୍ତ ହେବାକୁ ବସିଛି ବୌଦ୍ଧ ଜିଲ୍ଲାର ହସ୍ତତନ୍ତ କୁଟୀର ଶିଳ୍ପ

110

କନକ ବ୍ୟୁରୋ: ଫେଲ ମାରିଛି  ସରକାର ବୁଣାକାରମାନଙ୍କ ପ୍ରତି ନେଇଥିବା ପଦକ୍ଷେପ । ସତେ ଯେମିତି ବାଟବଣା ହୋଇପଡିଛି ସରକାରୀ ଯୋଜନା । ଦେଶ ବିଦେଶରେ ଖ୍ୟାତି ଲାଭ କରିଥିବା ପାଟଶାଢୀର କୁଶଳୀ କାରିଗର ଏବେ ପାଲଟିଛନ୍ତି ଦିନ ମଜୁରିଆ । ଆଉ ଲୁପ୍ତ ହେବାକୁ ବସିଛି ବୌଦ୍ଧ ଜିଲ୍ଲାର ହସ୍ତତନ୍ତ କୁଟୀର ଶିଳ୍ପ । ସେପଟେ ଏହାକୁ ଅସ୍ୱୀକାର କରିଛନ୍ତି ବିଭାଗୀୟ ଅଧିକାରୀ ।

ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାରେ ସରକାରୀ ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଛି ଜିଲ୍ଲାର ହସ୍ତତନ୍ତ । ବନ୍ଦ ହେବାକୁ ବସିଛି ବୟନ ଶିଳ୍ପ । କୌଳିକ ବୃତିରୁ ଦୂରେଇବାକୁ ମନବଳେଇଲେଣି ପାଟ ଶାଢି ବୁଣୁଥିବା ମେହେର ବୁଣାକାର । ଖଣ୍ଡେ ପାଟଶାଢୀ ବୁଣିବାକୁ ଗୋଟିଏ ପରିବାରକୁ ୭ରୁ ୮ ଦିନର ସମୟ ଲାଗୁଛି । ଆଉ ଏଥିପାଇଁ ଜଣକା ଦିନକୁ ମାତ୍ର ୧୦୦ ଟଙ୍କା ପାରିଶ୍ରମିକ ପାଉଛନ୍ତି । ଯାହା ଜଣେ ଦିନ ମଜୁରିଆ ଶ୍ରମିକଙ୍କ ପାରିଶ୍ରମିକ ଠାରୁ ମଧ୍ୟ କମ୍ ।

ଦେଶ ବିଦେଶରେ ଖ୍ୟାତିଲାଭ କରିଥିବା  ବୋମକେଇ, ବାନ୍ଧ, ଟସର ଭଳି ପାଟ ଶାଢୀ ବୁଣୁଥିବା ଏହି କୁଶଳୀ ବୁଣାକାର ସରକାରଙ୍କ ପାଇଁ ସତେ ଯେମିତି ଅଲୋଡା ହୋଇପଡିଛନ୍ତି ।  ସେମାନଙ୍କୁ କୌଣସି ତନ୍ତ ସାମଗ୍ରୀ କି ଋଣ ମିଳୁନଥିବାରୁ ସବୁ ଭିତ୍ତି ଭୂମି ଥାଇ ସୁଦ୍ଧା ଆର୍ଥିକ ଅନାଟନରେ ଜୀବନ ଅତିବାହିତ କରୁଛନ୍ତି । ଆଉ ନିଜ ପରବାର ପ୍ରତିପୋଷଣ ପାଇଁ ବେପାରୀଙ୍କ ପାଖରେ ନିଜ ଶ୍ରମ ବିକ୍ରି କରି କାଠପୁତୁଲି ସାଜିଛନ୍ତି ବୁଣାକାର ।

ବୌଦ୍ଧ ଜିଲ୍ଲାରେ ମୋଟ ୨୮ଟି ସୋସାଇଟି ରହିଛି । ୩ ହଜାର ୨୪୦ ଜଣ ବୁଣାକାର ସଭ୍ୟଙ୍କ ସହ ୧୪ହଜାରରୁ ଅଧିକ ବୁଣାକାର ରହିଛନ୍ତି । କାଁ ଭାଁ ଗୋଟିଏ ଦୁଇଟା ସୋସାଇଟି ଚାଲୁରହିଥିବା ବେଳେ ବାକି ସବୁ ସୋସାଇଟିରେ ତାଲା ପଡିଛି । ବୁଣାକାର ପରିବାର ବୁଣିବା ପାଇଁ ଆବଶ୍ୟକୟୀ ସାମଗ୍ରୀ, ନିଜେ କିଣି ପାରୁନଥିବାରୁ ନିରୁପାୟ ହୋଇ ଅତି କମ୍ ପାରିଶ୍ରମିକରେ ସାହୁକାର ପାଖରେ ନିଜ ଶ୍ରମ ବିକ୍ରି କରୁଥିବା ଅଭିଯୋଗ  କରିଛନ୍ତି । ସେପଟେ ଏନେଇ କଣ କହୁଛନ୍ତି ସହକାରୀ ବୟନ ଶିଳ୍ପ ନିଦ୍ଦେର୍ଶକ ଶୁଣନ୍ତୁ ।

ତେବେ ଅଧିକ  ପରିଶ୍ରମରେ ସ୍ୱଳ୍ପ ରୋଜଗାର ହେତୁ ନିଜ ପରିବାର ପ୍ରତିପୋଷଣ କରିପାରୁନଥିବା  ବୁଣାକାର ମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାବେଳେ ଏଥିପ୍ରତି ଯଦି ସରକାର ଦୃଷ୍ଟି ନ ଦିଅନ୍ତି  ତେବେ ଅଳ୍ପ ଦିନ ମଧ୍ୟରେ ବୌଦ୍ଧର ଏହି ହସ୍ତତନ୍ତ ଶିଳ୍ପ ସଂପୂର୍ଣ୍ଣ ବନ୍ଦ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।