ସୁନ୍ଦରଗଡ ଓ ବୌଦ୍ଧରେ ବି ଚକଡା ଚଡକ ! କ୍ଷେତରେ ଧାନ ରସ ଶୋଷି ନେଇଛି ପୋକ

62

କନକ ବ୍ୟୁରୋ : ଚାଷୀ ଆଖିରେ ଲୁହ ଦେଇଛି ଚକଡା ପୋକ । ଚାଷୀର ସ୍ୱପ୍ନ ଭାଙ୍ଗି ଦେଇଛି ଏହି କୀଟ । ଚଳିତ ବର୍ଷ ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲାରେ ହସୁଥିଲା ଚାଷୀ, କାରଣ କ୍ଷେତରେ ହସୁଥଲା ସୁନାର ଫସଲ । ହେଲେ ଠିକ ଧାନ ପାଚିଲା ବେଳକୁ ଉଜୁଡି ଗଲା ସବୁ ଆଶା । ଧାନରେ ଚକଡା ଏବଂ ଗୁଣ୍ଡି ପୋକ ଲାଗି ସବୁ ରସ ପିଇଯିବା ପରେ ଅଗାଡି ହୋଇଛି ଧାନ କେଣ୍ଡା ।

ସୁନ୍ଦରଗଡ ଜିଲ୍ଲା ଦୁଇଟି ସ୍ଥାନର ଦୁଇଟି ଚିତ୍ର ଏବେ ଚର୍ଚ୍ଚାରେ । ଗୋଟିଏ ସଦର ବ୍ଲକ ଜାମତଲିଆ ଅଂଚଳର । ଅନ୍ୟଟି ସବଡେଗା ବ୍ଲକ ଖଇରଖମନ ଗାଁ ଚାଷ ଜମିର । ଦୁଇ ଯାକ ଅଂଚଳରେ ସମାନ ଦୃଶ୍ୟ । କ୍ଷେତରେ ଚାଷୀର କଷ୍ଟ ଉର୍ପାଜିତ ସୁନାର ଫସଲ ଲହଡୀ ଭାଙ୍ଗୁଛି । ହେଲେ ତାକୁ ଅମଳ କରିପାରୁନି ଚାଷୀ, କାରଣ ଚାଷୀ ମୁଣ୍ଡରେ ପଡିଛି ଚକଡା ଚଡକ । ଧାନରେ ଚକଡା ଓ ଗୁଣ୍ଡି ପୋକ ଲାଗି ଧାନ ରସକୁ ଶୋସି ନେବା ପରେ ଋଣ ପରିଶୋଧ ଚିନ୍ତାରେ ଚାଷୀ ଓ ଭାଗଚାଷୀ । ସରକାର କିଛି ବ୍ୟବସ୍ତା ନକଲେ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଫସଲରେ ପୋକ ସମସ୍ୟାକୁ ନେଇ ଜିଲ୍ଲା କୃଷି ଅଧିକାରୀ ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଥିବା ବେଳେ ପ୍ରଭାବିତ ଅଂଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ସୁନ୍ଦରଗଡ ସଦର ବିଧାୟକ ଯୋଗେଶ ସିଂ ।

ସେପଟେ ବୌଦ୍ଧ ଜିଲ୍ଲାରେ ମଧ୍ୟ ସମାନ ଦୃଶ୍ୟ ନଜରକୁ ଆସିଛି । ଚକଡା ପୋକ ଲାଗି ଚାଷ ନଷ୍ଟ ହୋଇଯାଇଥିବା ବେଳେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କୁ ଖୋଲା ଚ୍ୟାଲେଜ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ । ଫସଲରେ ନିଆଁ ଲଗାଇଲେ ଚାଷୀଙ୍କୁ ମିଳିବନି କ୍ଷତିପୂରଣ ନେଇ ମନ୍ତ୍ରୀଙ୍କ ବୟାନକୁ ଭୃକ୍ଷେପ ନକରି ଉଜୁଡା ଫସଲରେ ନିଆଁ ଲଗାଇଛନ୍ତି ବୌଦ୍ଧ ବ୍ଲକ ବଢିଗାଁ ଓ ହରଭଙ୍ଗା ବ୍ଲକ ଲୁଣୀବାହାଲ ଅଂଚଳର ଚାଷୀ । ଧାନ ଫସଲରେ ଚକଡା ପୋଲ ଲାଗିଥିବା ବେଳେ ଉପଯୁକ୍ତ କୀଟନାଶକ ଔଷଧ ଅଭାବରୁ ଫସଲ ହାନୀ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ସରକାର ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ନଦେଲେ ଆଗାମୀ ୧୯ ତାରିଖରେ କିଶାନ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସେପଟେ ଚାଷୀଙ୍କ ସମସ୍ୟା ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଉପକୃଷି ନିର୍ଦ୍ଦେଶକ ।