ନିର୍ଯ୍ୟାସ ବାହାରିଲାନି, କଳି ବଢିଲା । ଥାନାରେ ପରସ୍ପର ବିରୋଧରେ ଏତଲା ଦେଲେ ବିଧାୟକ-ତହସିଲଦାର ।

725

କନକ ବ୍ୟୁରୋ : ନିର୍ଯ୍ୟାସ ବାହାରିଲାନି, କଳି ବଢିଲା । ଥାନା ଏତଲା ହେଲା, ସର୍ବଦଳୀୟ ବୈଠକ ବି ହେଲା । ତଥାପି ବିଧାୟକ-ତହସିଲଦାର କଳିରେ ପଡିଲାନି ପୂର୍ଣ୍ଣଚ୍ଛେଦ । ନୀଳଗିରି ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବଚସା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନୀଳଗିରି ତହସିଲଦାର ସୁଶ୍ରିତା ଟୁଡୁ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପରସ୍ପରକୁ ଆଙ୍ଗୁଠି ଦେଖାଇ ଝଗଡା କରୁଥିବାର ଦୃଶ୍ୟ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ଏମାନେ ପରସ୍ପରକୁ କଣ କହୁଛନ୍ତି, ତାହା ସ୍ପଷ୍ଟ ହେଉନଥିଲେ ମଧ୍ୟ ଦୁହେଁ ଯେ ବେଶ ରାଗିଯାଇଛନ୍ତି, ତାହା ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଏପରିକି ଉଭୟ ଉଭୟଙ୍କୁ ଦୋଷ ଦେଉଥିବା ବେଳେ ଏବେ ଥାନାରେ ପହଞ୍ଚିଛି କଳି । ଉଭୟ ପକ୍ଷ ପରସ୍ପର ନାଁରେ ଏତଲା ଦେଇଥିବା ବେଳେ ଧାରଣା ଦେଇଛନ୍ତି ବିଧାୟକ ।

ତହସିଲ କାର୍ଯ୍ୟାଳୟ ପରିସରରେ ମୋହରିମାନେ ବସୁଥିବା ଚାଳି ଉଚ୍ଛେଦକୁ ନେଇ ଏହି ଉତେଜନା ଦେଖା ଦେଇଛି । ପୂର୍ବରୁ ମୋହରିମାନଙ୍କୁ ଥଇଥାନ କରାଯାଇ କୁଆଡେ ଉଚ୍ଛେଦ କରାଯିବ ବୋଲି କଥା ଦିଆଯାଇଥିଲା । କିନ୍ତୁ ଇତି ମଧ୍ୟରେ ସେମାନଙ୍କର ଚାଳି ଗୁଡିକୁ ଭାଙ୍ଗି ଦିଆଯାଇଥିଲା । ଆଉ ଏହାକୁ ନେଇ ଉତେଜନା ଦେଖା ଦେଇଥିଲା । କିନ୍ତୁ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ପ୍ରଚାର ହୋଇଯିବା ପରେ ବିଧାୟକଙ୍କ ସମର୍ଥକମାନେ ଠେଙ୍ଗା ବାଡି ଧରି ଆକ୍ରମଣ କରିବାକୁ ଚାଲିଆସିଲେ । ଆଉ ଭୟରେ ତହସିଲଦାର ସୁଶ୍ରିତା ନିଜ କାର୍ଯ୍ୟାଳୟ ଭିତରକୁ ପଶିଯାଇଥିଲେ ।

ଜଣେ ରାଜନୈତିକ ନେତାଙ୍କର ନିଜ ଅଂଚଳରେ ସମର୍ଥକ ରହିବା ଏକ ସ୍ୱାଭାବିକ କଥା । କିନ୍ତୁ ବିଧାୟକଙ୍କ କଥାରେ ସେମାନେ ଯଦି ସୁଶ୍ରିତାଙ୍କ ଭଳି ସରକାରୀ ଅଧିକାରୀଙ୍କୁ ମାଡ ମାରିବା ପାଇଁ ଠେଙ୍ଗା ବାଡି ଧରି ଚାଲିଆସିବେ, ତେବେ ସେମାନେ କେମିତି ସରକାରୀ କାମକୁ ଆଗକୁ ବଢାଇବେ ତାହା ବାସ୍ତବିକ ଚିନ୍ତା କରିବାର ବିଷୟ । ଏମିତି ଅନେକ ସୁଶ୍ରିତା ନେତାଙ୍କ ଡରରେ ଚୁପ୍ ବସିଯିବାକୁ ବାଧ୍ୟହେବେ ।