ପୋଲିସ ହାତରେ ପଥର, ପବ୍ଲିକଙ୍କ ହାତରେ ପଥର । ବରଗଡରେ ଦେଖିବାକୁ ମିଳିଲା କାଶ୍ମୀର ଷ୍ଟାଇଲ ।

146

କନକ ବ୍ୟୁରୋ : ବରଗଡରେ କାଶ୍ମୀର ଷ୍ଟାଇଲ । ପୋଲିସ ହାତରେ ପଥର, ପବ୍ଲିକଙ୍କ ହାତରେ ପଥର । କାଶ୍ମୀରରେ ଯେମିତି ପୋଲିସ ଉପରକୁ ପଥରମାଡ ହୁଏ ତାହାର ଝଲକ ବରଗଡରେ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ପୋଲିସ ଓ ଅନ୍ୟପଟେ ପବ୍ଲିକ । ରାଜରାସ୍ତାରେ ଖୁଲମଖୁଲା ଚାଲିଥିଲା ପଥର ଫିଙ୍ଗାପିଙ୍ଗି । ଏହି ଦୃଶ୍ୟ ହିଁ ବୟାନ କରୁଥିଲା ଯେପରି କାଶ୍ମୀର ଘାଟିର କେଉଁ ଅଞ୍ଚଳରେ ଚାଲିଛି ପୋଲିସ-ଜନତାଙ୍କ ମଧ୍ୟରେ ଘମାଘୋଟ ଲଢେଇ । କେହି କାହାରିକୁ ଛାଡିବାକୁ ନାରାଜ । ଆନ୍ଦୋଳନକାରୀ ଯେତେବେଳେ ପୋଲିସକୁ ପଥର ପିଙ୍ଗିଥିଲେ ସେତେବେଳେ ପୋଲିସ ମଧ୍ୟ ହାତରେ ଉଠାଇଥିଲା ପଥର । ତେବେ କାହିଁକି ବରଗଡରେ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ ସାଧାରଣ ଜନତା ।

ସିଟି ହସ୍ପିଟାଲ ଦାବିରେ ଏବେ ବରଗଡରେ ଆନ୍ଦୋଳନର ନିଆଁ ଜଳୁଛି । ବରଗଡ଼ ସହରରୁ ଆସିଥିବା ଏହି ଦୃଶ୍ୟ ହିଁ ପ୍ରମାଣ କରୁଛି, ସିଟି ହସ୍ପିଟାଲ ଦାବିରେ ହେଉଥିବା ଆନ୍ଦୋଳନ ଏବେ କେଉଁ ସ୍ଥରରେ ପହଂଚିଛି । ପୁଲିସ୍ ଜନତା ଉପରେ ପଥର ମାଡ଼ କରୁଛି, ଜନତା ପୁଲିସ୍ ଉପରେ ପଥର ମାଡ଼ କରୁଛନ୍ତି । ଆଉ ଏହି ଖଣ୍ଡ ଯୁଦ୍ଧର ସୁତ୍ରପାତ ହୋଇଥିଲା, ଜିଲ୍ଲା ମୁଖ୍ୟ ହସ୍ପିଟାଲ ସାମ୍ନାରୁ, ଯେତେବେଳେ ବରଗଡ଼ ସହରରେ ସିଟି ହସ୍ପିଟାଲ ଦାବିରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରୁଥିଲେ । ଆଉ ସ୍ଥିତି ନିୟନ୍ତ୍ରଣ କରିବାକୁ ପହଂଚିଥିଲା ପୁଲିସ୍ । ଠିକ୍ ଏତିକି ବେଳେ ଠେଲାପେଲାରୁ ଆରମ୍ଭ ହୋଇଥିଲା ଏହି ଖଣ୍ଡ ଯୁଦ୍ଧ ।

ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଭଟଲି ବ୍ଲକ୍ ଟୁକୁର୍ଲ୍ଲାକୁ ସ୍ଥାନାନ୍ତର ନେଇ ନିଷ୍ପତି ହେବା ପରେ ଏହାକୁ ନେଇ ବରଗଡ଼ରେ ଜାରି ରହିଛି ଅସନ୍ତୋଷ । ଆଉ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବଦଳରେ ସହର ଭିତରେ ଏକ ସିଟି ହସ୍ପିଟାଲ ଦାବିରେ ୪ ଦିନ ହେଲା ଲୋକେ ପ୍ରତିବାଦ କରୁଥିଲେ । କେଉଁଠି ରାସ୍ତା ରୋକ୍ ତ ଆଉ କେଉଁଠି ଟାୟର ଜାଳି ପ୍ରତିବାଦ କରୁଥିଲେ । ଆଉ ଆଜି ହଜାର ହଜାର ଲୋକ ଡାକ୍ତରଖାନା ସାମ୍ନାରେ ପ୍ରତିବାଦ କରିବା ବେଳେ ସାମ୍ନାକୁ ଆସିଥିଲା ଏଭଳି ଏକ ଅଭାବନୀୟ ଚିତ୍ର । ଏମିତି କି ଏହି ମୁହାମୁହିଁ ବେଳେ ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଥିଲା ।

ପ୍ରଶ୍ନ ହେଉଛି-

-ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର ହୋଇଯିବା ପରେ ସହରବାସୀ ଚିକିତ୍ସା ସେବା ପାଇବେ କେମିତି?

-ନିୟମିତ ଚିକିତ୍ସା ପାଇଁ ବରଗଡ଼ ସହରବାସୀ ପ୍ରତିଦିନ ୧୪ କିଲୋମିଟର ଟୁକୁର୍ଲ୍ଲା ଯିବେ କାହିଁକି?

-ପ୍ରାୟ ଦେଢ଼ ଲକ୍ଷ ସହରବାସୀଙ୍କ ଚିକିତ୍ସା ପାଇଁ ବିକଳ୍ପ ହସ୍ପିଟାଲ ହେବାରେ ଅସୁବିଧା କ’ଣ?

ଆଉ ଏସବୁ ଭିତରେ ଆସନ୍ତାକାଲି ବରଗଡ ବନ୍ଦ ଡାକରା ଦେଇଛି ନାଗରିକତା ଏକତା ମଞ୍ଚ । ବରଗଡ ପୁରୁଣା ମୁଖ୍ୟ ଚିକିତ୍ସାଳୟ ଯେମିତି ଚାଲୁଥିଲା ସେମିତି ଚାଲିବା ଦରକାର ନହେଲେ ଆନ୍ଦୋଳନ ଥମିବ ନାହିଁ ବୋଲି କୁହାଯାଇଛି ।