ନିଆରା କାଳୀପୂଜା । ଯେଉଁଠି ଏକାଠି ହୋଇ ମା’ କାଳୀଙ୍କୁ ପୂଜା କରିଥାନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ।

482

କନକ ବ୍ୟୁରୋ : ନିଆରା କାଳୀପୂଜା । ଯେଉଁଠି ମା କାଳୀଙ୍କୁ ଏକାଠି ପୂଜା କରନ୍ତି ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟର ଲୋକ । ଯେତେବେଳେ ଧର୍ମର ଦ୍ୱାହି ଦେଇ ଲୋକଙ୍କ ମଧ୍ୟରେ ଲଢେଇ କରାଯାଉଛି । ଆଲ୍ଲା ଓ ଇଶ୍ୱରଙ୍କ ନାଁରେ ଲୋକଙ୍କ ମଧ୍ୟ ଦଙ୍ଗା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି । ସେତେବେଳେ ଭାଇଚାରାର ଏକ ନିଚ୍ଛକ ଉଦାହରଣ ସୃଷ୍ଟି କରି ଆସୁଛନ୍ତି ରାଜକନିକା ବ୍ଲକର ଓଳାଭର ଅଞ୍ଚଳର ବାସିନ୍ଦା ।

ଦୀର୍ଘ ୭୩ ବର୍ଷ ହେବ ମା’ ଦକ୍ଷିଣେଶ୍ୱର କାଳୀଙ୍କ ପୂଜା କରି ଆସୁଛନ୍ତି ଓଳାଭର ଅଞ୍ଚଳର ଉଭୟ ହିନ୍ଦୁ ଓ ମୁସଲମାନ ଭାଇମାନେ । କୁହାଯାଏ, ୧୯୪୬ ମସିହାରେ ଏଠାରେ କାଳୀପୂଜା ଆରମ୍ଭ କରାଯାଇଥିଲା । ଯେତେବେଳେ ସାରା ଦେଶରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଦଙ୍ଗା, ମାରପିଟ୍ ଚରମସୀମାରେ ପହଞ୍ଚିଥିଲା । କିନ୍ତୁ ସେହି ସମୟରେ ଓଳାଭରରେ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ନୁହେଁ ବରଂ ସମ୍ପର୍କର ଯେଉଁ ନୂଆ ପରିଭାଷା ସୃଷ୍ଟି ହୋଇଥିଲା ତାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା ।

ସେତେବେଳେ ଏହି ପୂଜାକମିଟିର ସମ୍ପାଦକ ଥିଲେ ଜଣେ ମୁସଲମାନ ଭାଇ ସେକ କରାମତ ଅଲ୍ଲୀ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ବଦଳରେ ଭାଇଚାରା ସୃଷ୍ଟି କରିବାକୁ ସେତେବେଳେ ସେକ ଅଲ୍ଲୀ ଏକାଠି କାଳୀପୂଜା ପାଳନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଆଉ ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କାଳୀପୂଜା ଏବେ ୭୩ ବର୍ଷରେ ପହଞ୍ଚିଛି । ଆଉ ଏବେ ମଧ୍ୟ ଏକାଠି ହୋଇ କାଳୀପୂଜା ପାଳନ କରୁଛନ୍ତି ଉଭୟ ହିନ୍ଦୁ ଓ ମୁସଲମାନ ଭାଇ ।