ବିବାହ ନା ଅନ୍ଧବିଶ୍ୱାସ ! ଫୁଲମାଳ ବଦଳରେ ଉଭୟ ବର କନିଆ ପରସ୍ପରକୁ ପିନ୍ଧାଇଲେ ସାପର ମାଳ ।

35

ବାହାଘରରେ ବର ନିଜ ଜୀବନସାଥୀଙ୍କୁ ଫୁଲର ମାଳ କିମ୍ବା ଟଙ୍କାର ମାଳ ପିନ୍ଧାଉଥିବାର ଦୃଶ୍ୟ ଆପଣ ଅନେକ ଥର ଦେଖିଥିବେ । କିନ୍ତୁ ବର ଏବଂ କନିଆ ପରସ୍ପରକୁ ସାପର ମାଳ ପିନ୍ଧାଇଥିବା ଘଟଣା ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ବାସ୍ତବରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବର ଏବଂ କନିଆ ପରସ୍ପରକୁ ସାପର ବରମାଳା ପିନ୍ଧାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏପରି ଏକ ନିଆରା ବିବାହର ଏହି ଭିଡିଓକୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରାଯାଉଛି ।

ସାଧାରଣତଃ ସାପକୁ ଦେଖିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । କିନ୍ତୁ ଏହି ଭିଡିଓରେ ନା ବର କନିଆ ନା ସେଠାରେ ଉପସ୍ଥିତ ଥିବା ଲୋକମାନେ, କାହା ମନରେ ଟିକିଏ ବି ଭୟ ଥିବା ଦୃଶ୍ୟମାନ ହେଉନାହିଁ । ତେବେ ଭିଡିଓଟି କେବେକାର ଏବଂ କେଉଁଠି ଏହି ଘଟଣା ଘଟିଛି ତାହା ଜଣାପଡିନଥିଲେ ମଧ୍ୟ ବିବାହରେ ବର କନିଆ ପରସ୍ପରକୁ ଫୁଲମାଳ ବଦଳରେ ସାପ ମାଳ ପିନ୍ଧାଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଇଛି ଯେ, ପ୍ରଥମେ କନିଆ ବରକୁ ସାପ ମାଳ ପିନ୍ଧାଉଛି ଏବଂ ପରେ କିଛି ମନ୍ତ୍ରତନ୍ତ୍ର ପରେ ବର କନିଆକୁ ସାପର ମାଳ ପିନ୍ଧାଉଛି । ତେବେ କୁହାଯାଉଛି ଯେ, ଏହି ଭିଡିଓଟି ମହାରାଷ୍ଟ୍ରର ଅଟେ । ବର କନିଆ ଧଳା ରଙ୍ଗର ବସ୍ତ୍ର ପିନ୍ଧିଥିବା ବେଳେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତଳେ ବସିଛନ୍ତିି ।