କନକ ବ୍ୟୁରୋ : କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଶୋଷଣ କରିବା, ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ଅନେକ ସମୟରେ ଆସିଥାଏ । ଅଶ୍ଳୀଳ ଇଂଗୀତ ଠାରୁ ଆରମ୍ଭ କରି ଲୋଭନୀୟ ଅଫର ଦେବା ଆଳରେ ଉପରିସ୍ତ କର୍ମଚାରୀ ତାଙ୍କ ଅଧିନରେ ଥିବା ମହିଳା କର୍ମଚାରୀଙ୍କ ସହ ସଂପର୍କ ରଖିବାକୁ ବାଧ୍ୟ କରିଥାନ୍ତି, ଏଭଳି ଅନେକ ନଜିର ରହିଛି । ସେହିପରି ଏକ ଅଭିଯୋଗ ହୋଇଛି ପୁରୀ କୁମ୍ଭାରପଡ଼ା ଥାନାରେ । ସ୍ଥାନୀୟ ଘରୋଇ କେବୁଲ ଚ୍ୟାନେଲ ଆଇନାର ପରିଚାଳନା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି ।

ଘରୋଇ କେବୁଲ ଚ୍ୟାନେଲର ମୁଖ୍ୟ ବୋଲାଉଥିବା ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ରାତି ଅଧରେ ଫୋନ କରୁଥିଲେ ନୂଆ କରି ତାଙ୍କ ଅଫିସରେ ଜଏନ କରିଥିବା ମହିଳା କର୍ମଚାରୀଙ୍କୁ । ପ୍ରଥମେ ନିଜର କହି ବିଶ୍ୱାସ ଜିତିବା ପରେ ଧୀରେ ଧୀରେ ସୀମା ଲଂଘୁଥିଲେ ଚ୍ୟାନେଲ ମୁଖ୍ୟ । ସବୁ ସମସ୍ୟା ସମାଧାନ କରିଦେବେ ବୋଲି ଫୋନ କରି ପ୍ରତିଶ୍ରୁତି ଦେଉଥିଲେ । ଅନେକ ରାତିରେ ଯୁବତୀଙ୍କ ପାଖକୁ ଆସୁଥିଲା ଏପରି କଲ୍ । କ୍ରମେ ଯୁବତୀଙ୍କ ପାଇଁ ଅସହ୍ୟ ହୋଇ ପଡିଥିଲା ଏହି କଲ୍ ।

ରାତି ବଢିବା ସହ ଚ୍ୟାନେଲ ମୁଖ୍ୟଙ୍କ ଫୋନ କରିବା ଶୈଳୀ ବି ବଦଳି ଯାଉଥିଲା । ସେ ଧୀରେ ଧୀରେ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ଆରମ୍ଭ କରି ଦେଇଥିଲେ । କିଛି ଉପଦେଶ ଦେବା ଛଳରେ ସେ କହୁଥିଲେ, ସମସ୍ତଙ୍କ ସହ ସଂପର୍କ କାଟି ତାଙ୍କ ସହ ସଂପର୍କ ଯୋଡିବାକୁ ।

ତାଙ୍କୁ ବୟଫେଣ୍ଡ ଓ ଲଭର ଭାବେ ଗ୍ରହଣ କରିବାକୁ ମହିଳା କର୍ମଚାରୀଙ୍କୁ ପ୍ରବର୍ତାଉଥିଲେ ଚ୍ୟାନେଲ ମୁଖ୍ୟ । ତାର ପ୍ରତିବଦଳରେ ଯାହା ମାଗିବେ ତାହା ଦେବେ ବୋଲି ସେ ଫୋନରେ ପ୍ରତିଶ୍ରୁତି ଦେଉଥିଲେ । ଏପରି ୪୦ରୁ ଅଧିକ ଫୋନ ଅଡିଓ ଏବେ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ମହିଳା କର୍ମଚାରୀ ଜଣକ ଅଭିଯୋଗ କରିଛନ୍ତି, ତାଙ୍କ ଉଦ୍ଦେଶ୍ୟ ପୂରଣ ନହେବାରୁ ବିଭିନ୍ନ ସମୟରେ ଧମକ ଚମକ ମଧ୍ୟ ଦେଉଥିଲେ ଚ୍ୟାନେଲ ହେଡ୍ ।

ପୁରୀର ଯେଉଁ ଘରୋଇ କେବୁଲ ଚ୍ୟାନେଲର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ବିରୋଧରେ ଅଭିଯୋଗ ହୋଇଛି, ସେହି ଘରୋଇ ଚ୍ୟାନେଲ ପଛରେ ରହିଛି ପ୍ରଭାବଶାଳୀ ରାଜନେତା ଓ ବ୍ୟବସାୟୀଙ୍କ ହାତ । ଅବଶ୍ୟ ଅଭିଯୋଗ ଆସିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଚ୍ୟାନେଲରୁ ବାହାର କରି ଦିଆଯାଇଛି । ଗିରଫ ହେବା ପରେ ଜାମିନ ନାମଂଜୁର ହୋଇଯିବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ତେବେ ଏପରି କାର୍ଯ୍ୟ ପଛରେ ଆହୁରି ବଡ଼ ବଡ଼ ଲୋକଙ୍କ ହାତ ଥିବା ଅଭିଯୋଗ ହୋଇଛି ।