ଦେଶରେ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗରୁ ଆସିଲା ଚାଞ୍ଚଲ୍ୟକର ଖବର । ବୁଥ ଭିତରେ ପଶି ଭୋଟରଙ୍କୁ ପ୍ରଭାବିତ କରି ଟିଏମସିକୁ ଭୋଟ୍ ଦେବାକୁ ବାଧ୍ୟ କରୁଥିଲେ ମହିଳା

348

କନକ ବ୍ୟୁରୋ: ସପ୍ତମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ଅଂଚଳରୁ ଆସିଛି ବୁଥ୍ ରିଗିଙ୍ଗର ଖବର । ଯାଦବପୁର ଅଂଚଳରେ ବୁଥ୍ ନଂବର ୧୮୯ରେ କିଛି ଗଡବଡ ଆଶଙ୍କା କରିଥିଲେ ବିଜେପି ସମର୍ଥକ । ବୁଥ ଭିତରେ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ଜଣେ ମହିଳା ଏଠାରେ ଭୋଟରଙ୍କୁ ପ୍ରଭାବିତ କରି ଟିଏମସିକୁ ଭୋଟ୍ ଦେବାକୁ ବାଧ୍ୟ କରୁଛନ୍ତି ।

ଭୋଟର ଆସୁଥିଲେ ମଧ୍ୟ ସେମାନଙ୍କୁ ମତଦାନ କରିବାକୁ ଦେବା ବଦଳରେ ସେ ନିଜେ ବଳପୂର୍ବକ ପ୍ରକ୍ସି ଭୋଟିଂ କରୁଥିଲେ । ଏହାକୁ ନେଇ ବୁଥରେ ଥିବା ବିଜେପି ପୋଲିଂ ଏଜେଂଟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ହୋଇନଥିଲା । ଏହାକୁ ନେଇ ପୋଲିଂ ବୁଥରେ ବିଜେପି କର୍ମୀ ପ୍ରତିବାଦ କରିବା ପରେ କିଛି ମହିଳା ଆସି ବିଜେପି କର୍ମୀଙ୍କୁ ବାଧା ଦେଇଥିଲେ । ଶେଷରେ କେନ୍ଦ୍ରୀୟ ଫୋର୍ସ ବୁଥରେ ପହଁଚି ବୁଥ୍ ରିଗିଂ କରୁଥିବା ଅଭିଯୋଗ ଆସୁଥିବା ମହିଳାଙ୍କୁ ବୁଥରୁ ବାହାରକୁ ଆଣିଥିଲା । ତା ପରେ ବି ସେଠାରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ଶେଷରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରି ମତଦାନ ଜାରି ରଖାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ, ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଂଗର ବସିରହାଟ୍ରୁ ଆସିଛି ଉତେଜନାର ଖବର । ବସିରହାଟ୍ ଅଂଚଳରେ ଥିବା ୧୮୯ ନଂବର ବୁଥରେ ଟିଏମସି କର୍ମୀ ବିଜେପି ସମର୍ଥକଙ୍କୁ ମାଡ ମାରିବା ପରେ ଉତେଜନା ଦେଖାଦେଇଛି । ଭୋଟ୍ ଦେବାକୁ ଯିବା ବେଳେ କିଛି ବିଜେପି ସମର୍ଥକଙ୍କୁ ବାଟରେ ଟିଏମସି ସମର୍ଥକ ଅଟକାଇ ମାଡମାରିବା ସହ ଧମକ ଦେଇ ଭୋଟ୍ ଦେବାକୁ ଯିବାକୁ ଦେଇନଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି ସମର୍ଥକ । ପ୍ରତିବାଦରେ ରାସ୍ତା ଉପରେ ବସି ସେମାନେ ଧାରଣା ଦେଇଛନ୍ତି । ପୋଲିସରେ ଅଭିଯୋଗ କଲେ ମଧ୍ୟ ପୋଲିସ ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିଭଳି ଉତରପ୍ରଦେଶର ଚାନ୍ଦୋଲିରେ ଦେଖିବାକୁ ମିଳିଛି ଉତେଜନା । ମତଦାନ ଚାଲିଥିବା ବେଳେ ଚାନ୍ଦୋଲି ଅଂଚଳର ପ୍ରହରାଜପୁର ପୋଲିଂ ବୁଥ ନିକଟରେ ବିଜେପି ଓ ସମାଜବାଦୀ ପାର୍ଟି ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।