ମୁଁ କିନ୍ନର, ଅପରାଧୀ ନୁହେଁ ! ବଦଳିବା ଦରକାର ସମାଜର ମାନସିକତା, ମୋର ଗଠନ ନୁହେଁ . .

44

ସୃଷ୍ଟିରେ ଅନେକ ସୌନ୍ଦର୍ଯ୍ୟ ଭରି ରହିଛି । ସେଥିମଧ୍ୟରୁ ମଣିଷ ହେଉଛି ସୃଷ୍ଟିକର୍ତ୍ତାଙ୍କ ସର୍ବୋତ୍ତମ କୃତ୍ତି । ଆଉ କିନ୍ନର ମାନେ ମଧ୍ୟ ସ୍ରଷ୍ଟାଙ୍କ ଏହି ସୃଷ୍ଟିର ଏକ ଅଂଶ । ଯେଉଁଠି ଏହି କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଏକ ବିତର୍କର ବିଷୟବସ୍ତୁ ହୋଇଯାଇଛି । ସେଇଠି ନିଜ ଫଟୋଗ୍ରାଫି ମାଧ୍ୟମରେ ଏହିସବୁ ବିତର୍କକୁ ନୂଆ ଶବ୍ଦ ଦେଇଛନ୍ତି ରାଜଧାନୀର ଜଣେ ଯୁବ ଫଟୋଗ୍ରାଫର୍ ବୁନ୍ ପଟ୍ଟନାୟକ । ମୁକ୍ତେଶ୍ୱର ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଦିନ ପ୍ରାୟ ୧୦ଜଣ କିନ୍ନରଙ୍କୁ ନେଇ ‘ଅର୍ଦ୍ଧନାରୀଶ୍ୱର’ ଥିମକୁ ନିଜ କ୍ୟାମେରାରେ ଜୀବନ୍ତ କରିଥିଲେ ବୁନ୍ ।

ନିଜ ପ୍ରତିକ୍ରିୟାରେ ବୁନ୍ କହିଛନ୍ତି , ଫଟୋଗ୍ରାଫି ମାଧ୍ୟମରେ ସମାଜକୁ ବାର୍ତ୍ତା ଦେବାକୁ ଚାହୁଁଛି ଯେ , କିନ୍ନର ମାନେ ଆମଠୁ ଭିନ୍ନ ନୁହଁନ୍ତି । ସେମାନେ ଆମଠାରୁ କିଛି ଆଶା କରନ୍ତିନି । ଯଦି କିଛି ଚାହିଁଥାନ୍ତି ତାହା ହେଉଛି ଆଞ୍ଜୁଳାଏ ସ୍ନେହ ଏବଂ କିଛି ସମ୍ମାନ । ଯଦି ଆମେ ତାଙ୍କୁ ସେତିକି ଦେଇ ପାରିବା ତେବେ ସେମାନେ ମଧ୍ୟ ନିଜକୁ କେବେ ଅବହେଳିତ ଭାବିବେ ନାହିଁ । ଆଜିର ସମୟରେ କିନ୍ନରମାନେ ପୁଲିସ୍ ଏବଂ ଅଧ୍ୟାପକ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ।

ପୁରୁଷ ଏବଂ ନାରୀ । ପରମ୍ପରାଗତ ଭାବରେ ଆମର ମାନସିକତା ଏହି ଦୁଇ ପ୍ରକାର ମଣିଷ ଭିତରେ ସୀମିତ ହୋଇଯାଇଛି । କିନ୍ତୁ ଯେତେବେଳେ ପ୍ରଶ୍ନ ଆସେ ତୃତୀୟ ଲିଙ୍ଗ ଅର୍ଥାତ୍ କିନ୍ନରଙ୍କ କଥା ସେତେବେଳେ ମଣିଷ ସମାଜ ସେମାନଙ୍କଠାରୁ ଆଖି ଫେରାଇ ନେବାର ମାନସିକତା ଦେଖିବାକୁ ମିଳେ । ଏକ ଆଶ୍ଚର୍ଯ୍ୟଜନକ ଚାହାଣୀରେ ସେମାନଙ୍କୁ ସମାଜ ଦେଖେ । ଅନ୍ୟମାନଙ୍କୁ ଆଶୀର୍ବାଦ ଦେଉଥିବା ଏହି ତୃତୀୟ ଲିଙ୍ଗଧାରୀ ମଣିଷମାନେ କିନ୍ତୁ ବିତାଉଛନ୍ତି ଅଭିଶପ୍ତ ଜୀବନ । ଆଉ ଯାହାର କାରଣ ଆମମାନଙ୍କ ଦୃଷ୍ଟିଭଙ୍ଗୀ । ଯଦିଓ ବହୁ ତର୍କ, ବିତର୍କ, ବାଦ ଓ ବିବାଦ ପରେ ଆମ ଆଇନ୍ ଏହି ବର୍ଗକୁ ସ୍ୱୀକୃତି ଦେଇସାରିଛି ତଥାପି ଆମମାନଙ୍କ ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ ।