ଶ୍ରୀଦେବୀଙ୍କ ପାଇଁ ମନର କଥାକୁ ଚିଠିରେ ଲେଖିଲେ ସ୍ୱାମୀ ବୋନି କପୁର ! ଜଣେ ବନ୍ଧୁ, ପତ୍ନୀ ଓ ଦୁଇ ଝିଅଙ୍କ ମା’କୁ ହରାଇବାର ଦୁଃଖ ବୟାନ୍ ପାଇଁ ମିଳିଲାନି ଭାଷା

39

ନିଜ ପତ୍ନୀ ଶ୍ରୀଦେବୀଙ୍କ ଉଦ୍ଦେଶ୍ୟରେ ଅତି ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି ସ୍ୱାମୀ ବୋନି କପୁର । ଶ୍ରୀଦେବୀଙ୍କ ଟ୍ୱିଟର ପେଜରେ ଶେଷ ପୋଷ୍ଟିଂ କରିଛନ୍ତି ବୋନି । ସେ ଲେଖିଛନ୍ତି, ଶ୍ରୀଦେବୀ ଥିଲେ ତାଙ୍କ ପାଇଁ ସବୁକିଛି । ତାଙ୍କର ଚାରିପଟେ ତାଙ୍କ ପରିବାର ଘୁରୁଥିଲା ବୋଲି ବର୍ଣ୍ଣନା କରିଛନ୍ତି ବୋନି କାପୂର । ତାଙ୍କର ଓ ତାଙ୍କ ଦୁଇ ଝିଅଙ୍କ ଜୀବନରେ ଆଉ ହସଖୁସି ଆସିବ ନାହିଁ ବୋଲି ସେ ଲେଖିଛନ୍ତି ଚିଠିରେ ।

ସେ ଥିଲେ ସମସ୍ତଙ୍କ ପାଇଁ ଚାନ୍ଦନୀ । ଜଣେ ଅପ୍ରତିଦ୍ୱନ୍ଦୀ ଅଭିନେତ୍ରୀ । ମାତ୍ର ସ୍ୱାମୀ ବୋନି କପୁରଙ୍କ ପାଇଁ ସେ ଥିଲେ ସବୁକିଛି । ସେ ଥିଲେ ପ୍ରେମ, ସେ ଥିଲେ ଅନ୍ତରଙ୍ଗ ବନ୍ଧୁ, ସେ ଥିଲେ ତାଙ୍କର ଦୁଇ ଝିଅର ମାଆ । ସେ ଥିଲେ ମେରୁଖୁଂଟ ଓ ତାଙ୍କ ଚାରିପଟେ ବୁଲୁଥିଲେ ସ୍ୱାମୀ ବୋନି କପୁର ଓ ତାଙ୍କ ଦୁଇ ଝିଅର ସଂସାର । ଦିବ୍ୟଙ୍ଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ଉଦ୍ଦେଶ୍ୟରେ ଏହିପରି ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି ବୋନି କପୁର । ଶ୍ରୀଦେବୀଙ୍କ ଟ୍ୱିଟ୍ ପେଜରେ ଶେଷ ପୋଷ୍ଟିଂ କରି ନିଜର ମନର ଆବେଗ ଜଣାଇଛନ୍ତି ବୋନି କାପୁର ।

ବୋନି ତାଙ୍କ ଚିଠିରେ ଲେଖିଛନ୍ତି, ଶ୍ରୀ’ଙ୍କୁ ହରାଇବା ପରେ ତାଙ୍କର ଯେଉଁ କ୍ଷତି ଘଟିଛି, ତାକୁ ଶବ୍ଦରେ ବର୍ଣ୍ଣନା କରାଯାଇ ପାରିବନାହିଁ । ଶ୍ରୀଦେବୀ ଥିଲେ ତାଙ୍କ ଜୀବନ, ସେ ଥିଲେ ସେମାନଙ୍କ ସାହସ, ତାଙ୍କରି ପାଇଁ ମୁହଁରେ ହସ ଖେଳିଯାଉଥିଲା । ତାଙ୍କ ବିନା ଜୀବନକୁ ଆଗକୁ ନେବା ସହଜ ହେବ ନାହିଁ ବୋଲି ଲେଖିôଛନ୍ତି ବୋନି କପୁର ।

ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବୋନି କପୁରଙ୍କ ଏହି ଦୁଃଖଭରା ଚିଠି । ଶ୍ରୀଦେବୀଙ୍କୁ ବୋନି କାପୂର କେତେ ଭଲ ପାଉଥିଲେ ଚିଠିର ପ୍ରତି ଶବ୍ଦରେ ରହିଛି ତାହର ବର୍ଣ୍ଣନା । ଏହି ଦୁଃସମୟରେ ତାଙ୍କ ପଛରେ ଛିଡ଼ା ହୋଇଥିବା ବନ୍ଧୁ, ପରିବାରବର୍ଗ, ଶୁଭେଚ୍ଛୁ ଓ ଶ୍ରୀଦେବୀଙ୍କ ଲକ୍ଷ ଲକ୍ଷ ଫ୍ୟାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଝିଅ ଖୁସି ଓ ଜାହ୍ନବୀଙ୍କ ନିକଟରେ ଏହି ଦୁଃଖଦ ମୁହୂର୍ତରେ ପ୍ରବୋଧନା ଦେଇଥିବା ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଅଭିନେତା ଅର୍ଜୁନ କାପୁର ଓ ଝିଅ ଅଂଶୁଲାଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ବୋନି କାପୂରଙ୍କ ଚିଠିର ଶେଷ ଧାଡି ଆହୁରି ଆବେଗପୂର୍ଣ୍ଣ ହୋଇଛି । ଶ୍ରୀଦେବୀଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା କରିବା ସହ ସେ ଲେଖିଛନ୍ତି, ଆଉ ଥରେ ସେମାନଙ୍କ ଜୀବନ ଆଗ ଭଳି ହେବନାହିଁ ।