ପଙ୍କରୁ ପଦ୍ମ : ଇଚ୍ଛା ଆଗରେ ପ୍ରତିବନ୍ଧକ ସାଜିପାରିନି ଅର୍ଥ, ପାଠ ପଢ଼ିବା ପାଇଁ ମଜୁରି ଖଟୁଛି ବଣ୍ଡାଘାଟିର ବଣ୍ଡାଝିଅ

244

ମେଧା ଆଗରେ ଅର୍ଥ ସାଜି ପାରନାହିଁ ବାଧକ । ଏକଥା ପ୍ରମାଣ କରିଛନ୍ତି ବଣ୍ଡାଘାଟିର ଝିଅ । ଶିକ୍ଷା ଓ ଆଧୁନିକ ସଭ୍ୟତାଠାରୁ ବହୁତ ପଛରେ ବଣ୍ଡାଘାଟି । ଅନ୍ଧାରୀ ମୂଲକ ଭାବେ ପରିଚିତ ଏହି ଅଞ୍ଚଳରେ ଏକ ପ୍ରକାର ଦୁର୍ବିସହ ଜୀବନ ବିତାଉଛନ୍ତି ଆଦିମ ଜନଜାତି ବଣ୍ଡା । ଯଦିଓ କିଛିଟା ସଚେତନତା ଏମାନଙ୍କୁ ସ୍ପର୍ଶ କରିଛି, ତଥାପି ଯେଉଁ ପରିମାଣରେ ଏମାନଙ୍କ ବିକାଶ ହେବା କଥା ତାହା ହୋଇପାରି ନାହିଁ  । ଏମିତି ଅବିକଶିତ ଅଞ୍ଚଳରେ ପଙ୍କରୁ ପଦ୍ମ ଫୁଟିଲା ଭଳି ଅନ୍ୟମାନଙ୍କୁ ରାହା ଦେଖାଇଛି ଶାନ୍ତି ଧାଙ୍ଗଡ଼ାମାଝୀ। ବଣ୍ଡାପଡ଼ା ଗ୍ରାମର ସନିଆ ଧାଙ୍ଗଡ଼ାମାଝୀଙ୍କ ସାନ ଝିଅ ହେଲା ଶାନ୍ତି । ଦୁଇ ବଡ଼ ଭଉଣୀଙ୍କ ମଧ୍ୟରୁ ସବାବଡ଼ ଭଉଣୀ ବିବାହ କରି ସାରିଛି । ମଝିଆ ଭଉଣୀ ବି ଗାଁ ସ୍କୁଲରେ ଅଳ୍ପ ପାଠ ପଢ଼ିଛି । ହେଲେ ଆର୍ଥିକ ଅନଟନ ଯୋଗୁଁ ଅଧିକ ପଢ଼ିବା ପାଇଁ ସୁଯୋଗ ପାଇ ନଥିଲା । ତେବେ ଶାନ୍ତିର ପାଠପଢ଼ା ପ୍ରତି ରହିଥିବା ଇଚ୍ଛା ଆଗରେ ଏଯାଏ ପ୍ରତିବନ୍ଧକ ସାଜିପାରିନି ଅର୍ଥ । ଚଳିତ ବର୍ଷ ମାଟ୍ରିକ୍ ପାସ୍ କରିଛି ଶାନ୍ତି ।

ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିଲେ ମଧ୍ୟ ଆଗକୁ ପାଠ ପଢ଼ିବା ପାଇଁ ଆଶା ରଖି ପରିଶ୍ରମ କରୁଛି ଶାନ୍ତି । କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ପ୍ରତିକୂଳ ପରିସ୍ଥିତି ସଫଳତାର ରାସ୍ତାରେ କେବେ କଣ୍ଟା ହୁଏ ନାହିଁ। ଲକ୍ଷ୍ୟ ସ୍ଥିର ଥିଲେ ଜ୍ଞାନର ଗଡ଼ ଜିତିବା ଅସମ୍ଭବ ହୁଏ ନାହିଁ। କଲେଜରେ ପାଠ ପଢ଼ି ଆଗକୁ ବଢ଼ିବା ପାଇଁ ଶାନ୍ତିର ପ୍ରବଳ ଆଗ୍ରହ ରହିଛି । ବୃଦ୍ଧ ବାପା, ମା’ ଝିଅକୁ ପଢ଼ାଇବା ପାଇଁ ଅକ୍ଷମ। ହେଲେ ଏଥିରେ ଭାଙ୍ଗିପଡ଼ିନି ଶାନ୍ତି । ତେଣୁ ନିଜ ପାଇଁ ନିଜେ ସମାଧାନର ରାସ୍ତା ବାହାର କରିଛି। ଛୁଟିରେ ଏବେ ମଜୁରି ଖଟୁଛି। ରୋଜଗାର ଅର୍ଥକୁ ସଞ୍ଚୟ କରି ଯୁକ୍ତ୨ରେ ନାଁ ଲେଖାଇବ ବୋଲି ଆଶା ବାନ୍ଧିଛି ।

ପରିବାର ପାଇଁ ବୋଝ ପାଲଟିବା ବଦଳରେ ପରିବାର ବୋଝକୁ ନିଜେ କାନ୍ଧେଇବାକୁ ନିଷ୍ପତ୍ତି ନେଇଛି । ଅର୍ଥାଭାବ ସତ୍ତ୍ବେ ସେ ଚଳିତ ବର୍ଷ ଯୁକ୍ତ୨ରେ ନାଁ ଲେଖାଇବା ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଏଥିପାଇଁ ବାପା, ମା’ଙ୍କ ଆୟ ଉପରେ ନିର୍ଭର ନକରି ନିଜେ ଘର ବାହାରକୁ ପାଦ କାଢ଼ିଛି । ଗାଁ ଆଖପାଖ ଅଞ୍ଚଳରେ ଯାହା କାମ ମିଳୁଛି କରୁଛି । କଠିନ ପରିଶ୍ରମ କରିବାକୁ ବି ପଛାଉ ନାହିଁ । ଶାନ୍ତିର କଠିନ ପରିଶ୍ରମ କେବେ ବ୍ୟର୍ଥ ଯିବନି । ସଫଳତାର ରାସ୍ତା ଶାନ୍ତିର ବାଟ ଚାହିଁଛି । ଯେଉଁ ଲକ୍ଷ୍ୟ ନେଇ ସେ ଆଗକୁ ବଢ଼ୁଛି ତାହା ଶ୍ରୀଘ୍ର ପୂରଣ ହେବ ।