ଇଂଜିନିୟରଙ୍କୁ କ୍ଲିନଚିଟ୍ ଦେଲେ ଇଂଜିନିୟର ! ବମିଖାଲ ରିପୋର୍ଟ କହିଲା, ଠିକାଦାରଙ୍କ ସବୁ ଦୋଷ । ଇଂଜିନିୟରଙ୍କ କିଛି ଦୋଷ ନାହିଁ

25

କନକ ବ୍ୟୁରୋ: ଇଂଜିନିୟରଙ୍କୁ କ୍ଲିନ୍ ଚିଟ୍ ଦେଲେ ଇଂଜିନିୟର । ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଯନ୍ତ୍ରୀସ୍ତରୀୟ କମିଟି ରିପୋର୍ଟ ଦେଇଛି । ଏହି ରିପୋର୍ଟରେ କେବଳ ଠିକାଦାରଙ୍କୁ ଦୋଷ ଦିଆଯାଇଛି । ଯେଉଁ ଅଧିକାରୀମାନେ ଏହି କାର୍ଯ୍ୟ ତଦାରଖ କରୁଥିଲେ ସେମାନଙ୍କୁ କେବଳ ସୋ’ କଜ୍ ନୋଟିସ ଦେଇ କାମ ସାରି ଦେଇଛନ୍ତି ସରକାର । ସେପଟେ ପଣ୍ଡା-ଇନଫ୍ରା ହାତରୁ ଛଡ଼ାଇ ନିଆଯାଇଛି ବମିଖାଲ ଓ ଲିଙ୍ଗରାଜ ଓଭରବ୍ରିଜ୍ କାମ । ଶେଷ ପର୍ଯାୟରେ ଥିବା ଏହି ଦୁଇ ଓଭରବ୍ରିଜ୍କୁ ନିଜେ ସାରିବେ ସରକାର । ତେବେ ଏହି ରିପୋର୍ଟକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ଠିକାଦାରଙ୍କ ସବୁ ଦୋଷ । ଇଂଜିନିୟରଙ୍କ କିଛି ଦୋଷ ନାହିଁ । ଦୁର୍ଘଟଣାର କାରଣ ଖୋଜୁଥିବା ବିଶେଷଜ୍ଞ କମିଟି ଏହିପରି ରିପୋର୍ଟ ଦେଇଛନ୍ତି ସରକାରଙ୍କୁ । ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲେ ବି କାମର ତଦାରଖ କରୁଥିବା ଯନ୍ତ୍ରୀଙ୍କୁ କେବଳ ସୋ’ କଜ୍ ନୋଟିସ ଦିଆଯାଇଛି । ରିପୋର୍ଟ ପାଇବା ପରେ ପୂର୍ତ ମନ୍ତ୍ରୀ ବି କହିଛନ୍ତି ଦୁର୍ଘଟଣା ପାଇଁ ଠିକାଦାର ସଂପୂର୍ଣ୍ଣ ଦାୟୀ ।

ତେବେ ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହୋଇଛି, କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀଙ୍କୁ ଦୁର୍ଘଟଣା ପାଇଁ ଦାୟୀ କରାଯାଇନାହିଁ । ସେପଟେ ଶେଷ ପର୍ଯ୍ୟାୟରେ ଥିବା ବମିଖାଲ ଓଭରବ୍ରିଜ୍ ଓ ଲିଙ୍ଗରାଜ ଓଭରବ୍ରିଜ୍ କାମରୁ ପଣ୍ଡା-ଇନଫ୍ରାକୁ ବାଦ ଦିଆଯାଇଛି । ବାକି କାମ ନିଜେ ସାରିବେ ସରକାର । ତେବେ ସମ୍ବଲପୁର ଓ ଜଟଣୀ ପ୍ଲାଏ-ଓଭର ନିର୍ମାଣ କାର୍ଯ୍ୟ ନେଇ ପରବର୍ତି ପର୍ଯ୍ୟାୟରେ ନିଷ୍ପତି ନିଆଯିବ ।

ସେପଟେ, ବମିଖାଲ ଦୁର୍ଘଟଣା ରିପୋର୍ଟକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । କାହିଁକି ଯନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହି, ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ପଣ୍ଡା-ଇନଫ୍ରା କରୁଥିବା ବମିଖାଲ ଓ ଲିଙ୍ଗରାଜ ଓଭରବ୍ରିଜ କାର୍ଯ୍ୟ ଶେଷ ହେବା ପରେ ତୃତୀୟ ପକ୍ଷ ଦ୍ୱାରା ଯାଂଚ ହେବ ବୋଲି ପୂର୍ତ ମନ୍ତ୍ରୀ କହିଛନ୍ତି ।ସେପଟେ ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାରେ ପଣ୍ଡା ଇନଫ୍ରାର ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ପୁଲିସ ଗିରଫ କରିଛି । ଦଫା ୩୦୪, ୩୩୭,୩୩୮ ଓ ୩୪ ଆଇପିସି ଧାରାରେ ତାଙ୍କୁ ଗିରଫ କରାଯାଇଛି । ଘଟଣାର ତଦନ୍ତ ଚାଲିଛି । ଅନ୍ୟ ମାନଙ୍କ ସଂପୃକ୍ତି ନେଇ ଅନୁସନ୍ଧାନ ଚାଲିଥିବା ଡିସିପି ଅନୁପ ସାହୁ କହିଛନ୍ତି ।