ଠିକାଦାରଙ୍କଠାରୁ ଲାଂଚ ନେଉଛନ୍ତି ଯନ୍ତ୍ରୀ! ଠିକାଦାରଙ୍କ “ପିସି” କାହାଣୀ

34

କନକ ବ୍ୟୁରୋ: ଇଂଜିନିୟର ନେଉଛନ୍ତି ପିସି । ଠିକାଦାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଲାଂଚ ନେଉଛନ୍ତି ଯନ୍ତ୍ରୀ । ଏଭଳି ସଂଗୀନ ଅଭିଯୋଗ ଆଣିଛି ନିଖିଳ ଓଡ଼ିଶା ଠିକାଦାର ସଂଘ । ବମିଖାଲ ଦୁର୍ଘଟଣାରେ ଗିରଫ ପ୍ରତାପ ପଣ୍ଡାଙ୍କ ସପକ୍ଷରେ ବାହାରିବା ସହ ଠିକାଦାର ସଂଘ ଯୁକ୍ତି ବାଢିଛି, ଦୁର୍ଘଟଣା ପାଇଁ ଠିକାଦାର ଯଦି ଦାୟୀ, ତେବେ କାର୍ଯ୍ୟର ତଦାରଖ କରୁଥିବା ଇଂଜିନିୟରମାନେ ମଧ୍ୟ ସମପରିମାଣରେ ଦାୟୀ । ସେମାନଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ ।

ଠିକା କାମ ପାଇଁ ମୋଟା ଅଙ୍କର ପିସି ନେଉଛନ୍ତି ଇଂଜିନିୟର । ଏଭଳି ସଂଗୀନ ଅଭିଯୋଗ ଆଣିଛି ନିଖିଳ ଓଡ଼ିଶା ଠିକାଦାର ସଂଘ । ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ପଣ୍ଡା ଇନ୍ଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କ ସପକ୍ଷରେ ବାହାରିଛି ଠିକାଦାର ସଂଘ ।

ଯେକୌଣସି ନିର୍ମାଣ କାର୍ଯ୍ୟରେ ଠିକାଦାରୀ ସଂସ୍ଥାର କାର୍ଯ୍ୟକୁ ତଦାରଖ କରିଥାନ୍ତି ବିଭାଗୀୟ ଇଂଜିନିୟର । କାର୍ଯ୍ୟର ମାନ, କାର୍ଯ୍ୟ ହେଉଥିବା ସମୟରେ ସୁରକ୍ଷା କିପରି ରହିଛି ଏହାର ମଧ୍ୟ ତଦାରଖ କରିବା ଦାୟିତ୍ୱ ହେଉଛି ଯନ୍ତ୍ରୀମାନଙ୍କର । ତେବେ ବମିଖାଲ ଦୁର୍ଘଟଣା ପରେ ପୂର୍ତ ସଚିବ ଠିକାଦାରଙ୍କୁ ଦୋଷ ଦେଇଥିଲେ, ହେଲେ ଦାୟିତ୍ୱରେ ଥିବା ଇଂଜିନିୟରଙ୍କ ବାବଦରେ ପଦଟିଏ କହିନଥିଲେ ।

ସେପଟେ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଠିକାଦାର ପ୍ରତାପ ପଣ୍ଡାଙ୍କ ଆଦୌ ତ୍ରୁଟି ନାହିଁ ବୋଲି ଯୁକ୍ତି ବାଢିଛି ଠିକାଦାର ସଂଘ । ତେବେ ଗୋଟିଏ ପଟେ ଯନ୍ତ୍ରୀଙ୍କ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଧମକ ଦେଇଛି ଠିକାଦାର ସଂଘ, ଅନ୍ୟ ପଟେ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି ସରକାର । ଏହାରି ଭିତରେ ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ନେଇ ସରକାରଙ୍କୁ ଯାଂଚ ରିପୋର୍ଟ ଦେବ ଯନ୍ତ୍ରୀସ୍ତରୀୟ କମିଟି ।