ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଗିରଫ ହେଲା ମୃତ୍ୟୁର ସୌଦାଗର ପ୍ରତାପ ପଣ୍ଡା ! ସାରା ରାଜ୍ୟରେ ଅସନ୍ତୋଷ, ଆରମ୍ଭ ହେଲା ତନାଘନା

22

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାର ଖଳନାୟକ ଠିକାଦାର ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେ ବମିଖାଲ ଓଭରବ୍ରିଜର ରେଲିଂ ଖସିପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ଚିନ୍ତାର କାରଣ ହେଉଛି ମାତ୍ର ୮ ମାସ ବ୍ୟବଧାନରେ ପୁଣି ଥରେ ସେହି ସ୍ଥାନରେ ଦୁର୍ଘଟଣା ଘଟିଛି । ଏହାକୁ ନେଇ ଚାରିଆଡେ ଅସନ୍ତୋଷ ସୃଷ୍ଟି ହୋଇଛି । ଦୁର୍ଘଟଣା ସ୍ଥଳରେ ପହଁଚି ସାଇଂଟିଫିକ୍ ଟିମ ଛାନଭିନ୍ ଆରମ୍ଭ କରିଦେଇଛି । ମୃତ ଶ୍ରମିକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବର୍ଷକ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗତକାଲିର ଦୁର୍ଘଟଣା ପରେ ବମିଖାଲ ଓଭରବ୍ରିଜ୍ ଏବେ ଭୟ ଓ ଆତଙ୍କର ଓଭରବ୍ରିଜ୍ ପାଲଟିଯାଇଛି ।

ଠିକାଦାର ପ୍ରତାପ ପଣ୍ଡା, ଯିଏ ରାଜଧାନୀ ଛାତିରେ ବନାଉଛନ୍ତି ମୃ୍ତ୍ୟୁର ଓଭରବ୍ରିଜ୍ । ତାଙ୍କର ବେପରୁଆ ମନୋଭାବ ଯୋଗୁଁ ବର୍ଷକ ଭିତରେ ଚାଲିଗଲା ଦୁଇ ଦୁଇଟି ଜୀବନ । ଯାହାଙ୍କ ବିରୋଧରେ ରହିଛି ନିମ୍ନମାନର କାର୍ଯ୍ୟ ଅଭିଯୋଗ । ବମିଖାଲ ଦୁର୍ଘଟଣାର ଖଳନାୟକ, ପଣ୍ଡା ଇନଫ୍ରାର ମାଲିକ ପ୍ରତାପ ପଣ୍ଡା । ନାଁ ଶ୍ରମିକଙ୍କ ଜୀବନ ପ୍ରତି ଅଛି ଦରଦ ନା ଅଛି ଜନସାଧାରଣଙ୍କ ସୁରକ୍ଷା ପାଇଁ ପରୱା । କେବଳ ଯଥାକଥା କାମ କରି ରାଜସ୍ୱ ଲୁଟିନେବା ଯାହାଙ୍କ ଏକମାତ୍ର ଉଦ୍ଦେଶ୍ୟ । ଗତକାଲି ଓଭରବ୍ରିଜର ଲୁହା ରେଲିଂ ଖସି ଜଣଙ୍କ ମୃତ୍ୟୁ ପରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ ।

ସେପଟେ ଦୁର୍ଘଟଣା ସ୍ଥଳରେ ପହଁଚି ସାଇଂଟିଫିକ୍ ଟିମ ଛାନଭିନ୍ ଆରମ୍ଭ କରିଦେଇଛି । କେମିତି ଖସିଲା ଲୁହାର ରେଲିଂ, କେଉଁ ତ୍ରୁଟି ପାଇଁ ଗଲା ଶ୍ରମିକଙ୍କ ଜୀବନ, ତନତନ କରି ଯାଂଚ କରାଯାଉଛି । ନିର୍ମାଣ ସମୟରେ ଯଦି ସରକାରୀ ଅଧିକାରୀ, ଏତିକି ସତର୍କ ହୋଇଥାନ୍ତେ, ତେବେ ହୁଏତ ଏହି ଅଘଟଣକୁ ଏଡାଇ ଦିଆଯାଇ ପାରିଥାନ୍ତା ।

over bridge collapse

ସେପଟେ ଦୁର୍ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ରାଜନୀତି । ଗତବର୍ଷ ଜଣଙ୍କ ଜୀବନ ଯିବା ପରେ କଳା ତାଲିକାଭୁକ୍ତ କରାଯାଇଥିବା ଏହି ଠିକାଦାରଙ୍କୁ କାହା ଚାପରେ ଦ୍ୱିତୀୟ ଥର କାମ ଦିଆଯାଇଥିଲା, ଏ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ରାଜଧାନୀର ସବୁଠାରୁ ଜନଗହଳିପୂର୍ଣ୍ଣ ବମିଖାଲ ଅଂଚଳରେ ଏହି ଓଭରବ୍ରିଜ୍ ସତେ ଯେପରି ପାଲଟିଯାଇଛି ଭୟର ଓଭରବ୍ରିଜ୍ । ମାତ୍ର ୮ ମାସ ଅନ୍ତରରେ ପୁଣି ଦୁର୍ଘଟଣା ଘଟିବା ପରେ ଏବେ ଯିଏ ବି ସେହି ରାସ୍ତା ଦେଇ ପାରିହେଉଛି, ଅଜଣା ଭୟରେ ସେ ଥରେ ଉପରକୁ ଚାହୁଁଛି । ବ୍ରିଜ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଏହାର ସୁରକ୍ଷା ଦିଗ ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ଲାଗିଯାଇଛି ।