ରାଜଧାନୀରେ ଫୁଟିଲା ବୋମା: ଶିଶୁଭବନ ଛକ ଫୁଡ୍ ଜଙ୍କସନରେ ବୋମା ମାଡ, ମ୍ୟାନେଜର ଗୁରୁତର

26

କନକ ବ୍ୟୁରୋ: ଗତକାଲି ରାତିରେ ରାଜଧାନୀର ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଛି । ରାତି ପ୍ରାୟ ୧୧ଟା ସମୟରେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଶିଶୁଭବନ ଛକରେ ଥିବା ଏକ ଦୋକାନରେ ୨ଟି ବୋମା ମାଡ଼ ହୋଇଥିବା ବେଳେ ରାତି ପ୍ରାୟ ୯ଟାରେ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାର କେ-୬ ଅଞ୍ଚଳରେ କେହି ଦୁର୍ବୃତ୍ତ ୨ଟି ବୋମା ଫିଙ୍ଗିଛି। କଳିଙ୍ଗ ନଗର ଅଞ୍ଚଳରେ ହୋଇଥିବା ବୋମାମାଡ଼ରେ କେହି ମୃତାହତ ହୋଇ ନଥିଲେ ହେଁ ଶିଶୁ ଭବନ ଛକରେ ଥିବା ଫୁଡ୍ ଜଙ୍କସନ୍ ଉପରେ ହୋଇଥିବା ବୋମାମାଡ଼ରେ ମ୍ୟାନେଜର୍ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତି କରାଯାଇଛି। ବୋମାମାଡ଼ ଯୋଗୁ ଦୋକାନ କାଚ ଭାଙ୍ଗି ଯାଇଛି। ଏହି ସମୟରେ ଦୋକାନରେ ଥିବା ଗ୍ରାହକମାନେ ଆତଙ୍କିତ ହୋଇ ପଡ଼ିଥିଲେ। ପୁଲିସ ରେସ୍ତୁରାଁରେ ପହଞ୍ଚି ଘଟଣାର ଛାନବିନ୍ କରୁଛି।

ସେହିପରି ତମାଣ୍ଡୋ ଥାନା ଅଧୀନ କଳିଙ୍ଗନଗର-କେ୬ ଅଞ୍ଚଳରେ ହୋଇଥିବା ବୋମାମାଡ଼ରେ କେହି ଆହତ ହୋଇ ନଥିବା ପୁଲିସ କହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାତି ପ୍ରାୟ ୯ଟା ସମୟରେ ଲକ୍ଷ୍ମୀପୂଜା ମଣ୍ଡପ ନିକଟସ୍ଥ ଏକ କ୍ଲବ୍ ଘର ପାଖରେ ଦୁଇ ଜଣ ଯୁବକ ବୋମାମାଡ଼ କରି ଫେରାର୍ ହୋଇ ଯାଇଥିଲେ। ଯୁବକଦ୍ୱୟ ଏକ ବାଇକରେ ଆସିଥିଲେ। ସେମାନେ ହାଫ୍ ପ୍ୟାଣ୍ଟ ପିନ୍ଧିଥିଲେ ଓ ମୁହଁରେ ମୁଖା ପିନ୍ଧିଥିଲେ। ତମାଣ୍ଡୋ ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତାଙ୍କ କହିବା କଥା ଏଭଳି ଖବର ପାଇ ସେମାନେ ଉକ୍ତ କ୍ଲବ ଘର ନିକଟରେ ପହଞ୍ଚିଥିଲେ। କ୍ଲବ ଘର ବନ୍ଦ ଥିଲା। ଘଟଣାସ୍ଥଳରେ ବହୁ ଖୋଜାଖୋଜି ପରେ ବି ବୋମାମାଡ଼ର ଚିହ୍ନବର୍ଣ୍ଣ ମିଳିନଥିଲା।