ପୂର୍ବ ଶତ୍ରୁତାକୁ ନେଇ ସମ୍ବଲପୁରରେ ବୋମାମାଡ଼ ! ୨ ଯୁବକ ଗୁରୁତର

36

କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ ନେଇ ସମ୍ବଲପୁରରେ ବୋମାମାଡ଼ । ସମ୍ବଲପୁର ଯୁଯୁମରା ଥାନା ଅନ୍ତର୍ଗତ ଗଡ଼ ଗଡ଼ବାହାଲ ନିକଟରେ ଏହି ବୋମାମାଡ଼ ହୋଇଛି । ଏଥିରେ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଯୁଯୁମରା ଥାନା ଅଂଚଳର ସୁଶାନ୍ତ ବାରିକ ଓ ବିହାରୀ ବିଶ୍ୱାଳ । ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ସୁଶାନ୍ତ ଓ ବିହାରୀ ସମ୍ବୁଲପୁର ଆସୁଥିବା ବେଳେ ବର୍ଷା ହେବାରୁ ଏକ ଗଛ ତଳେ ଲୁଚିଥିଲେ । ଏହି ସମୟରେ ମୋତିଜିରା ଅଂଚଳର ଫିରୋଜ ଖାନ ପହଂଚି ସୁଶାନ୍ତକୁ ଧମକ ଦେବା ସହ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ଡଂଗାପାଳ ଗ୍ରାମର ସୁଶାନ୍ତ ବାରିକ ଯୁଯୁମୁରାରେ ଏକ ଭଡ଼ାଘରେ ରହି ଏକ ସଫାରି ଗାଡ଼ିରେ ଯାତ୍ରୀ ପରିବହନ କରି ଅର୍ଥ ରୋଜଗାର କରିଥାନ୍ତି । ସେହିପରି ସମ୍ବଲପୁର ଭୂତାପଡ଼ାର ଫିରୋଜ ଖାନ ମଧ୍ୟ ନିଜ ସଫାରି ଗାଡ଼ି ସେହି ରାସ୍ତାରେ ଚଳାଇଥାନ୍ତି । ଯାତ୍ରୀ ନେବା ଆଣିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫିରୋଜ କୁଆଡ଼େ ତାଙ୍କୁ ଧମକ ଚମକ ଦେଉଥିଲେ । ସୁଶାନ୍ତଙ୍କ ଅଭିଯୋଗକ୍ରମେ କିଛିଦିନ ତଳେ ଯୁଯୁମୁରା ପୁଲିସ୍ ଫିରୋଜକୁ ଗିରଫ କୋର୍ଟଚାଲାଣ କରିଥିଲା । ଫିରୋଜ କୋର୍ଟରୁ ଜାମିନରେ ବାହାରିଛନ୍ତି ।

ଶୁକ୍ରବାର ରାତି ୯ଟାରେ ସୁଶାନ୍ତ ଓ କୋଲ୍ଗାଁ ବିହାରୀ ବିଶ୍ୱାଳ ଭିମଖୋଜ ବ୍ରିଜ୍ ପାଖ ଏକ ଗଛ ତଳେ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଫିରୋଜ ସେଠାରେ ପହଂଚି ଏକ ହାତବୋମା ଫୁଟାଇ ଫେରାର ହୋଇଯାଇଥିବା ସୁଶାନ୍ତ କହିଛନ୍ତି । ଏଥିରେ ସୁଶାନ୍ତ ଓ ବିହାରୀ ଆହତ ହୋଇ ସଦର ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଶନିବାର ସନ୍ଧ୍ୟାରେ ସେମାନେ ଘଟଣା ସଂକ୍ରାନ୍ତରେ ଯୁଯୁମୁରା ଥାନାରେ ଅଭିଯୋଗ କରିଛନ୍ତି ।

ଏ ସଂକ୍ରାନ୍ତରେ ଯୁଯୁମୁରା ଥାନା ଅଧିକାରୀ ବିଶ୍ୱପତି ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଅଭିଯୋଗ ମିଳିବା ପରେ ଘଟଣାସ୍ଥଳକୁ ଯାଇ ନିରୀକ୍ଷଣ କରାଯାଇଥିଲା । ମାତ୍ର ବୋମାମାଡ଼ ନେଇ କିଛି ପ୍ରମାଣ ମିଳିପାରି ନାହିଁ । ଆଜି ଆହତମାନଙ୍କୁ ପଚରାଉଚରା କରାଯିବ । ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି ।